ମାଲକାନଗିରି– ଗୁଣିଗାରେଡିକୁ ନେଇ ହୋଇଥିବା ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପଡିଆ ପୁଲିସ ।
ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ପଡ଼ିଆ ବ୍ଳକର ନନ୍ଦାଗୁଡା ଗ୍ରାମରେ ଘଟିଥିବା ବହୁ ଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ୪ ଜଣ ହେଲେ ଦେବା ବେଟି, ପଦିଆ ବାଡସେ, ଗଙ୍ଗା ବେଟୀ ଓ ପଦିଆ ଏମଲା । ଏମାନେ ସେହି ଗ୍ରାମର ହୋଇଥିବା ବେଳେ ଦୀର୍ଘଦିନ ଧରି ଗ୍ରାମରେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଏଭଳି ହତ୍ୟାକାଣ୍ଡ ଭିଆଇଥିବା ପୋଲିସ ଆଗରେ କହିଥିବା ପଡିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ କହିଛନ୍ତି । ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଗ୍ରାମର ଉକ୍ତ ଚାରିଜଣ ପୂର୍ବ ଯୋଜନା
ମୁତାବକ କାରାମ କାନା ର ଘରକୁ ଯାଇ ତାକୁ ନିଦରୁ ଉଠାଇ ଘର ଅଗଣାରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ବିଭତ୍ସ ଭାବେ ଗଳା କାଟିଥିଲେ। ଏହାପରେ ପ୍ରମାଣ ନଷ୍ଟ କରିବାକୁ ମୃତ ଶରୀରକୁ ଗାଁ ଠାରୁ ୨ କିମି ଦୂରରେ ଥିବା ଶାବେରୀ ନଦୀ କୂଳକୁ ନେଇ ମୁଣ୍ଡକୁ ନିଆଁ ଲଗାଇ ପୋଡ଼ିଥିବା ବେଳେ ବଳକା ଶରୀରକୁ ନଦୀପଠା ବାଲିରେ ପୋତି ଦେଇଥିଲେ । ଏ ନେଇ ମୃତକର ସ୍ତ୍ରୀ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ହତ୍ୟାକାରୀଙ୍କୁ ଖୋଜିବା ସହ ମୃତଦେହ ଉଦ୍ଧାର କରାଯାଇଥିଲା। ଗତକାଲି ରାତିରେ ଏହି ଗ୍ରାମ ଓ ଆଖପାଖ ଅଞ୍ଚଳରେ ଚଢ଼ଉ କରି ପୋଲିସ ୪ ହତ୍ୟାକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।