ମାଲକାନଗିରି– ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ତଥା ବିଚ୍ଛିନ୍ନାଞ୍ଚଳର ୧୯ ବର୍ଷରୁ କମ୍ ପିଲା ମାନଙ୍କୁ ନେଇ ଚିତ୍ରକୋଣ୍ଡା କ୍ରିକେଟ ଏଣ୍ଡ ସ୍ପୋର୍ଟ୍ସ କ୍ଲବ ନେତୃତ୍ୱରେ ଚିତ୍ରକୋଣ୍ଡା ମିନି ଷ୍ଟାଡିଅମ ଠାରେ ଆଜି ଠାରୁ କ୍ରିକେଟ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଶିବିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଚିତ୍ରକୋଣ୍ଡା କ୍ରିକେଟ ଏଣ୍ଡ ସ୍ପୋର୍ଟ୍ସ କ୍ଲବର ସଭାପତି ଦେବେନ୍ଦ୍ର ଦାସ ଯୋଗଦେଇ ଉଦଘାଟନ କରି ଆରମ୍ଭ କରିଥିବା ବେଳେ କ୍ରିକେଟ କ୍ଲବର ସମ୍ପାଦକ ରାଜକମଲ ପୁରୋହିତ ଓ ସଂଯୋଜକ ସୁଧାକର ନାୟକ ପରିଚାଳନା କରିଥିଲେ । କ୍ରିକେଟ କୋଚ୍ ଭାବରେ ଓଡିଶା କ୍ରିକେଟ ଆଶୋସିଏସନ ସଦସ୍ୟ ବ୍ରହ୍ମାନନ୍ଦ ବେହେରା ଆସି କୋଚିଙ୍ଗ ଦେଉଥିବା ବେଳେ ମାଲକାନଗିରି ଜିଲା କ୍ରିକେଟ ଆଶୋସିଏସନର ସଦସ୍ୟ ସତବର ସିଂ ସହଯୋଗ କରୁଛନ୍ତି । ୧୯ ବର୍ଷରୁ କମ୍ କ୍ରିକେଟ ଖେଳାଳି ମାନଙ୍କୁ କ୍ରିକେଟ୍ ପ୍ରାଟିସ ପାଇଁ କୋଚ୍ ପ୍ରଶିକ୍ଷଣ ଦେଉଛନ୍ତି । ଏହି ପିଲାମାନେ ଭଲ ଖେଳ ପ୍ରଦର୍ଶନ କଲେ ଜିଲା ତଥା ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ମଧ୍ୟ ଭାଗ ନେବେ । ସେଥିପାଇଁ ଚିତ୍ରକୋଣ୍ଡା ମିନି ଷ୍ଟାଡିଅମରେ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଅଂଚଳର ପିଲା ଏକାଠି ହୋଇ ଏହି କ୍ରିକେଟ ପ୍ରଶିକ୍ଷଣ ଶିବିରରେ ଭାଗ ନେଇଛନ୍ତି । ଆଗାମୀ ଦିନରେ ଏହି ପିଲାମାନେ ଭଲ ଖେଳ ପ୍ରଦର୍ଶନ କରି ଜିଲା, ରାଜ୍ୟ, ଅନ୍ତଃ ରାଜ୍ୟରେ ଖେଳି ନିଜ ଗାଁ, ଜିଲା ରାଜ୍ୟର ନାଁ ରଖିବେ । ଆଜି ୪୫ ଜଣ ୧୯ ବର୍ଷରୁ କମ୍ ବୟସର ଖେଳାଳି ନିଜର ଦକ୍ଷତା ବୃଦ୍ଧି ପାଇଁ କୋଚିଙ୍ଗ ନେଉଛନ୍ତି, ଏହି କୋଚିଙ୍ଗ ତିନି ଦିନ ଧରି ଚାଲିବ, ଏଥିରେ ବୋଲିଙ୍ଗ, ଫିଲଡିଂ ଓ ବ୍ୟାଟିଙ୍ଗ ଉପରେ ଶିକ୍ଷା ଦିଆଯାଉଛି । ଚିତ୍ରକୋଣ୍ଡାରେ ମାଲକାନଗିରି ଜିଲା କ୍ରିକେଟ ଆଶୋସିଏସନ ଓ ଓଡିଶା କ୍ରିକେଟ ଆଶୋସିଏସନ ସହଯୋଗରେ ପ୍ରଥମ ଥର ପାଇଁ ପ୍ରଶିକ୍ଷଣ ଶିବିର କରାଯାଇଥିବାରୁ ଚିତ୍ରକୋଣ୍ଡା ସମେତ, ଉପାନ୍ତ, ସ୍ୱାଭିମାନ ଅଞ୍ଚଳ ଓ ବିଛିନ୍ନାଚଂଳର ପିଲା ମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।