
ମିଳିଥିବା ସୂଚନା ଅନୁସାରେ ତୃଣମୂଳ କଂଗ୍ରେସ ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ପଦ ଛାଡ଼ିଥିବା ନେତା ଶୁଭେନ୍ଦୁ ଅଧିକାରୀ, ଶୀଳଭଦ୍ର ଦତ୍ତ ଓ ଜିତେନ୍ଦ୍ର ତିୱାରୀ ଭଳି ତୃଣମୂଳ କଂଗ୍ରେସର କିଛି ଅସନ୍ତୁଷ୍ଟ ନେତା, ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ କାଳରେ ବିଜେପିରେ ସାମିଲ ହୋଇପାରନ୍ତି । ବିଜେପି ରାଷ୍ଟ୍ରୀୟ ମିଡିଆ ପ୍ରଭାରୀ ଅନିଲ ବଲୁନୀ ଦ୍ୱାରା ଜାରି ଏକ ବୟାନ ଅନୁସାରେ ଶାହା ସପ୍ତାହନ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଯୋଡ଼ିହେବେ ।
ଶନିବାର ସକାଳୁ ଶାହା ଏନଆଇଏ ଅଧିକାରୀଙ୍କ ସହିତ ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ରହିଛି । ଏହା ପରେ ଉତ୍ତର କୋଲକାତାସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କ ନିବାସ ପହଂଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ବିଜେପି ନେତା କହିଛନ୍ତି ଯେ ଏହା ପରେ ଶାହା ମିଦନାପୁର ଯିବେ ଏବଂ ସଂଗ୍ରାମୀ ଖୁଦିରାମ ବୋସଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଏବଂ ୨ଟି ମନ୍ଦିରରେ ପୂଜାର୍ଚ୍ଚନା କରିବେ ।