Related Stories
November 23, 2024
ମାଲକାନଗିରି– ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା ରହିଛି ।ଏହାର ସୁଫଳ ଲଛମାଙ୍କୁ ମିଳିପାରିନାହିଁ । ପଥରର ଛାତୀ ଚିରି ଗୋଟିଏ ଡବା ଚିପ୍ସ ତିଆରି କଲେ ମିଳୁଛି ମାତ୍ର ୩ 0 ଟଙ୍କା । ଦିନସାରା ପରିଶ୍ରମ କଲେ ମଧ୍ୟ ମିଳିପାରି ନଥିବା ଲଛମା କହିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖଇରପୁଟ ବ୍ଲକ ମାଝିଗୁଡା ଗ୍ରାମରେ । ଏହି ଗ୍ରାମରେ ରହୁଛନ୍ତି ଲଛମା ଓ ତାଙ୍କ ପୁଅ ସହଦେବ । ଲଛମାଙ୍କ ଘର କହିଲେ ଝାଟି ମାଟି କୁଡିଆ ଖଣ୍ଡିଏ । ତାରି ତଳେ ବିଡ଼ମ୍ବିତ ଜୀବନ ଜିଉଁଛନ୍ତି ସେମାନେ । ଆଗରେ ସ୍ବାମୀ ସ୍ତ୍ରୀ ଓ ଗୋଟିଏ ପୁଅ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର ଥିଲା । କିନ୍ତୁ ସ୍ବାମୀ ପାଞ୍ଚ ବର୍ଷ ତଳେ ସବୁ ଦିନ ପାଇଁ ଆଖି ବୁଜି ଦେଲେ । ସ୍ବାମୀ ଚାଲି ଗଲା ପରଠୁ ପୁରା ପରିବାରର ବୋଝ ମୁଣ୍ଡେଇ ଛନ୍ତି । ଝିଅ ବାହା ହୋଇ ଅନ୍ୟତ୍ର ରହୁଛି । ବର୍ତ୍ତମାନ ପୁଅକୁ ଧରି ରହୁଛନ୍ତି ଲଛମା । କିନ୍ତୁ ପୁଅର ମାନସିକ ସ୍ଥିତି ଖରାପ । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରି ନାହିଁ । ଲଛମା ପ୍ରତି ଦିନ ପାହଡ଼ ତଳରେ ବହି ଯାଉଥିବା ଝରଣା ନିକଟରେ ଯାଇ ପଥର ଫଟାଇ ଚିପ୍ସ ତିଆରି କରନ୍ତି । ଗ୍ରାମରୁ ୩ କିମି ଦୂର ଗ୍ରାମକୁ ପ୍ରତି ଦିନ ଯାଇ ଦିନ ୧୦ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପଥର ଫଟାଇ ଅତି ବେଶୀରେ ଗୋଟିଏ କିମ୍ବା ଦୁଇଟି ଡବା ଚିପ୍ସ କରିବାରେ ସକ୍ଷମ ହେଉଛନ୍ତି । ଗୋଟିଏ ଡବା ଚିପ୍ସ କୁ ୩୦ ଟଙ୍କା ରେ ବିକ୍ରି କରିବାକୁ ପଡିଥାଏ ବୋଲି ଲଛମା କହନ୍ତି । ଦିନସାରା ପଥର ଫଟାଇ ସେଥିରୁ ବଡ଼ ଖଣ୍ଡ ଓ ତାପରେ ସେଗୁଡିକ ସାନସାନ ଟୁକୁରା (ଚିପ୍ସ )ରେ ପରିଣତ କରାଯାଇଥାଏ । ଏସବୁ ଶାରୀରିକ ପରିଶ୍ରମ ନହେଲେ ହୁଏ ନାହିଁ ବୋଲି କହନ୍ତି ଲଛମା । ଦିନସାରା ପରିଶ୍ରମ କଲେ ଗୋଟିଏ ଡବା ଚୀପ୍ସ ତିଆରି ହେଉଛି । ଗୋଟାଏ ଡବା ବିକ୍ରି କଲେ ମିଳୁଛି ୩୦ ଟଙ୍କା । ସରକାର ସହାୟତା କହିଲେ କେବଳ ୧୦ କେଜି ଚାଉଳ ମିଳୁଛି । କିନ୍ତୁ ଅନ୍ୟ କୌଣସି ସହାୟତା ମିଳିପାରି ନାହିଁ । ବିଧବା ହୋଇ ପାଞ୍ଚ ବର୍ଷ ହେଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା କିମ୍ବା ରହିବା ପାଇଁ ଘର ଖଣ୍ଡିଏ ମିଳିପାରି ନାହିଁ । ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ତାଙ୍କ କଥା ଶୁଣିନଥିବା କହିଛନ୍ତି ଲଛମା । ତୁରନ୍ତ ତାଙ୍କୁ ଘର ଏବଂ ବିଧବା ଭତ୍ତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।