କେନ୍ଦ୍ରାପଡ଼ା – କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଅବସରରେ କେନ୍ଦ୍ରାପଡା ସହର ଓ କଟକ- ଚାନ୍ଦବାଲି ୯ (ଏ) ରାଜ୍ୟ ସଡକପଥରେ ଚଳାଚଳ କରୁଥିବା ଭାରିଯାନ ଉପରେ କଟକଣା ଲାଗୁ କରାଯାଇଛି । ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣଙ୍କ ଅଭିଯୋଗ କ୍ରମେ ଚଳିତ ମାସ ୧୩ ତାରିଖଠାରୁ ୨୧ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପୀଏହି ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି । ଜନସାଧାରଣଙ୍କ ଧନଜୀବନକୁ ସୁରକ୍ଷା ଦେବା, ଦୁର୍ଘଟଣାକୁ ଏଡାଇବା ଓ ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ମୋଟର ଯାନ ନିୟମ ୧୯୮୮ ଅଧିନିୟମ ୧୧୫ ଅନୁଯାୟୀ ସହରରେ ଏକତରଫା ରାସ୍ତା ପ୍ରଚଳନ କରାଯାଇଛି । ସମସ୍ତ ମାଲ୍ବାହି ଭାରିଯାନ ଯଥା ବହୁ ଚକ ବିଶିଷ୍ଟ ଯାନ ଏବଂ ଟ୍ରେଲର ଯାନ ଗୁଡିକୁ ଚାନ୍ଦୋଳ କୁସୁନ୍ପୁର ଠାରୁ ପଟ୍ଟାମୁଣ୍ଡାଇ ରାସ୍ତାରେ କେନ୍ଦ୍ରାପଡା ସହର ମଧ୍ୟଦେଇ ୧୩ତାରିଖଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସକାଳ ୭ରୁ ୧୧ଟା ୩୦ ମିନିଟ୍ ଏବଂ ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ନିଷେଧ୍ୟାଜ୍ଞ ଜାରି କରାଯାଇଛି । ଗଜଲକ୍ଷ୍ମୀ ପୂଜା ମେଲଣ, ଭସାଣି ଉପଲକ୍ଷେ ସହରରେ ୨ଚକିଆ ଯାନ ରିକ୍ସା, ଅଟୋରିକ୍ସା, ମଟର ସାଇକେଲ୍, ସାଇକେଲ୍ ଆଦି ହାଲୁକା ଯାନ ଗୁଡିକ ତିନିମୁହାଣୀରୁ ଗୋବରୀ ନଦୀ ବାଇପାସ୍ ବାଟେ ନୂଆ ବସଷ୍ଟାଣ୍ଡ ଭାସ୍କର ସିନେମା ହଲ୍, କେନ୍ଦ୍ରାପଡା କେନାଲ୍ ବ୍ରିଜ୍ ପରେ ବ୍ଲକ ରୋଡ୍ରୁ ଇଚ୍ଛାପୁର ଦେଇ ଗତି କରିବେ । ସେହିଭଳି ଇଚ୍ଛାପୁର ଆଡୁ ଆସୁଥିବା ହାଲୁକା ଯାନ ଗୁଡିକ କେଶପୁର, ନସଡିପୁର, ମିରପାଟଣା କାକଟ ରୋଡ୍ ଶ୍ୟାମସୁନ୍ଦରପୁର ଗଡା ଦେଇ ଗତି କରିବେ । ଏତଦ୍ ବ୍ୟତୀତ ମେଲଣ, ଭସାଣୀ ଓ ଶୋଭାଯାତ୍ରା ସମୟରେ କୈାଣସି ଯାନ ସହର ମଧ୍ୟକୁ ପ୍ରବେଶ କରିବେ ନାହିଁ । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଆଂଚଳିକ ପରିବହନ ଅଧ୍ୟକ୍ଷଭାବେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏହି କଟକଣା କେନ୍ଦ୍ରାପଡା ସହର ତଥା କୁସୁନପୁରଠାରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ରାଜ୍ୟ ସଡକ ପଥରେ ଲାଗୁ କରାଯାଇଛି ।
Related Stories
November 25, 2024