ଭୁବନେଶ୍ୱର – ରାଜ୍ୟରେ ଶାରଦୀୟ ଦୂର୍ଗାପୂଜା ଧୁମ୍ ଧାମ୍ ରେ ପାଳିତ ହେବା ପରେ ବୁଧବାର ମା’ଙ୍କୁ ମେଲାଣି ଦିଆଯାଇଛି । ରାଜଧାନୀର ପୁରୁଣା ଭୁବନେଶ୍ୱର ସ୍ଥିତ ସମସ୍ତ ଦେବୀ ଓ ହର ପାର୍ବତୀ ମୂର୍ତି ଦୟା ନଦୀରେ ବିସର୍ଜନ କରାଯାଇଛି । ସେହିପରି ରାଜଧାନୀର ଅନ୍ୟାନ୍ୟ ଦେବୀ ମୂର୍ତି ଗୁଡିକୁ ଉଭୟ କୁଆଖାଇ ଓ ଦୟା ନଦୀରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା । ବିସର୍ଜନ ପାଇଁ ୩ ଟି ସ୍ଥାନରେ ମେଢ ଗୁଡିକ ଏକତ୍ରିତ ହୋଇଥିଲା । ନୟାପଲ୍ଲୀ ,ସହୀଦନଗର ଓ ଚନ୍ଦ୍ରଶେଖରପୁର ପଡିଆରେ ମେଢ ଗୁଡିକ ଏକତ୍ରିକ ହେବା ପରେ ଆକର୍ଷଣୀୟ ଶୋଭାଯାତ୍ରାରେ ନିଆଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଭସାଣୀ କାର୍ଯ୍ୟକ୍ରମ ଚାଲିଥିଲା ।
ଚଳିତ ଥର ବିସର୍ଜନ ଶୋଭାଯାତ୍ରାରେ ଶବ୍ଦ ପ୍ରଦୂଷଣ ରୋକିବାକୁ ଡିଜେ ବ୍ୟବହାର କୁ ବାରଣ କରାଯାଇଥିଲା । ତେଣୁ ପୂଜା କମିଟି ଗୁଡିକ ପକ୍ଷରୁ ପାରମ୍ପରିକ ବାଦ୍ୟ , ଲୋକନୃତ୍ୟ , ଲୋକକଳା ଇତ୍ୟାଦି ଦ୍ୱାରା ଭସାଣୀ ଶୋଭାଯାତ୍ରାକୁ ଆକର୍ଷଣୀୟ କରାଯାଇଥିଲା । ଏହାସହ ଆଖି ଝଲସିଲା ଭଳି ଆତସବାଜୀ ମଧ୍ୟ କରାଯାଇଥିଲା । ଭସାଣୀ ଶୋଭାଯାତ୍ରା ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା ।
ବିସର୍ଜନ ପାଇଁ ଟ୍ରାଫିକ୍ କଟକଣାକୁ କଡାକଡି କରାଯାଇଥିଲା । ଭୁବନେଶ୍ୱର ସହୀଦ ନଗରରୁ ଜନପଥ , କିଟ୍ ରୁ ନାଲକୋ ଛକ ପର୍ଯ୍ୟନ୍ତ , ସିଆରପିରୁ କଟକ , ଜୟଦେବ ବିହାରରୁ ସିଆରପି ଛକ ଯିବା ରାସ୍ତାରେ ଗାଡି ଚଳାଚଳକୁ ବନ୍ଦ କରାଯାଇଥିଲା । ଭୁବନେଶ୍ୱରରେ ଦୁର୍ଗାପୂଜା ପାଇଁ ୩୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା ।