
ପଟ୍ଟାମୁଣ୍ଡାଇ– କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ପକ୍ଷରୁ ଶିଶୁମାନଙ୍କ ଆମୋଦ ପ୍ରମୋଦ ପାଇଁ ବ୍ଲକ କଲୋନୀ ମଧ୍ୟରେ ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶିଶୁଉଦ୍ୟାନ ଗଢାଯାଇ ୨୦୧୮ ସେପ୍ଟେମ୍ବର ମାସରେ ତତ୍କାଳୀନ ପୌରାଧ୍ୟକ୍ଷା ବୈଜୟନ୍ତୀ ମାଳା ଲେଙ୍କା ଶିଶୁଉଦ୍ୟାନର ଉଦଘାଟନ କରିଥିଲେ । ପରବର୍ତ୍ତୀ ସମୟରେ ଶିଶୁଉଦ୍ୟାନର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ଚିତ୍ରକଳା ଓ ଖେଳସାମଗ୍ରୀ ବାବଦରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ପୌର ନିର୍ବାହୀ ଅଧିକାରୀଙ୍କ ଅପରିଣାମ ଦର୍ଶିତା ଯୋଗୁଁ ଶିଶୁ ମାନଙ୍କର ଆମୋଦ ପ୍ରମୋଦ ସାଧିତ ହୋଇପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ପୌରାଞ୍ଚଳର ଲୋକେ । ଏ ପର୍ଯ୍ୟନ୍ତ ବିଭିନ୍ନ ଜାତୀୟ ଦିବସ କିମ୍ବା ଶିଶୁ ଦିବସରେ ଉଦ୍ୟାନ ଖୋଲାଯାଇ ପାରୁନାହିଁ । ବହୁ ସମୟରେ ଶିଶୁ ମାନେ ଉଦ୍ୟାନ ଦେଖିବାକୁ ଆସୁଥିଲେ ହେଁ ଭିତରକୁ ଯାଇନପାରି ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି । ୨୦୧୯ ଫନୀ ବାତ୍ୟାରେ ଉଦ୍ୟାନ ନିକଟରେ ଥିବା ବିଭିନ୍ନ ଗଛଡାଳ ଭାଙ୍ଗି ଓ ଉପୁଡି ଉଦ୍ୟାନ ଭିତରେ ପଡିରହିଛି । ତାହାବି ସଫା ହେଉନାହିଁ । ବୁଲାଗାଈ, ଛେଳି, ମେଣ୍ଢା ଉଦ୍ୟାନ ଭିତରକୁ ପସି ଗଛ ଖାଇଯାଉଥିଲେ ବି ସେମାନଙ୍କୁ କେହି ଘଉଡାଇବାକୁ ନାହାନ୍ତି । ତେବେ ପୌର ପରିଷଦର କାର୍ଯ୍ୟକାଳ ଶେଷ ହେବାର ଅବ୍ୟବହିତ ପୂର୍ବରୁ ତରବରିଆ ଭାବେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲେଙ୍କା, ଉପାଧ୍ୟକ୍ଷ ସୁମନ୍ତ ପାତ୍ରଙ୍କ ସହ ସମସ୍ତ କାଉନସିଲର ଉପସ୍ଥିତିରେ ଊଦ୍ଘାଟିତ ହୋଇଥିଲା ଏହି ଶିଶୁ ଉଦ୍ୟାନ । ପୌରପରିଷଦ ଭାଙ୍ଗିଗଲା ପରେ ଆଉ କେହି ଏଠାକୁ ଲୋକ ପ୍ରତିନିଧି ଆସୁ ନାହାନ୍ତି ।
ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁଙ୍କୁ ପଚାରିବାରେ କରୋନା ପାଇଁ ଶିଶୁଉଦ୍ୟାନ ବନ୍ଦଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ମାସରୁ ଜାରି ହୋଇଥିବା ଗାଇଡ୍ ଲାଇନ ପରେ ଶିଶୁଉଦ୍ୟାନର ନବିକରଣ କରାଯିବ ଏବଂ ଶିଶୁ ମାନଙ୍କ ନିମନ୍ତେ ଉଦ୍ୟାନ ଖୋଲା ରହିବ ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ରୀ ସ୍ବାଇଁ କହିଛନ୍ତି ।