
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟସ୍ଥ ନିର୍ମଳ ଝର ଠାରେ ଗତକାଲି ରାତିରେ ଏକ ବାଇକ୍ ଯୋଗେ ଦୁଇ ଜଣ ଯୁବକ ବୋମା ନେଇଯାଉଥିବା ବେଳେ ବାଇକ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ସେମାନେ ନେଉଥିବା ବୋମା ବିସ୍ଫୋରଣ ଘଟି ଜଣକର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ନୂଆ ଫାଶୁଳା ଗ୍ରାମର ମଂଟୁ ମହରଣା (୨୨) । ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଲେ ତୁଳସୀପୁର ଗ୍ରାମର ସିଲୁ ପାଆନ (୨୦) । ଦୁହେଁ ଏକ ବାଇକ୍ ନଂ ଓଡ଼ି୦୭ଆର- ୦୧୮୦ ଯୋଗେ ନିକଟବର୍ତି ପେଟ୍ରୋଲ ପମ୍ପକୁ ଗାଡିରେ ତେଲ ଭରିବା ପାଇଁ ଯାଉଥିଲେ । ତେବେ ନିର୍ମଳ ଝର ଛକ ଠାରେ ମୋଟର ସାଇକେଲଟି ଭାରସାମ୍ୟ ହରାଇବାରୁ ଦୁହେଁ ପଡି ଯାଇଥିଲେ । ଫଳରେ ସେମାନେ ନେଉଥିବା ବୋମା ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ମଂଟୁଙ୍କ ମୃତ୍ୟୁ ହୋଇଥିଲା । ବିସ୍ଫୋରଣ ଏତେ ଜୋରଦାର୍ ଥିଲା ଯେ, ତାଙ୍କର ଗୋଟିଏ ହାତ ଶରୀରରୁ ଛିଣ୍ଡି ଯାଇ କିଛି ଦୂରରେ ପଡିଥିଲା ବେଳେ ସେ ରକ୍ତାକ୍ତ ହୋଇପଡିଥିଲେ । ବାଇକ୍ରେ ବସିଥିବା ଅନ୍ୟ ଜଣେ ସିଲୁ ଗୁରୁତର ହୋଇଥିଲେ । ତାଙ୍କୁ ଖଲ୍ଲିକୋଟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁହେଁ ହାତ ବୋମା ଧରି କୌଣସି ହିଂସାକାଣ୍ଡ ଘଟାଇବାକୁ ଯାଉଥିଲେ ନା ଅନ୍ୟ କୌଣସି ଅପରାଧୀଙ୍କୁ ହାତ ବୋମା ଯୋଗାଇବାକୁ ନେଉଥିଲେ ସେନେଇ ଖଲ୍ଲିକୋଟ ପୋଲିସ ପକ୍ଷରୁ ତଦନ୍ତ ଜାରୀ ରହିଛି ।
ଅନ୍ୟପକ୍ଷରେ ଘଟଣାସ୍ଥଳରେ ଗଞ୍ଜାମ ଏଏସପି ଉତ୍କଳ କେଶରୀ ଦାସ, ଏସଡ଼ିପିଓ ଗୌତମ କିଶାନ, ଗଞ୍ଜାମ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ରମ୍ଭା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ, ଛତ୍ରପୁର ଥାନା ଅଧିକାରୀ ପ୍ରିୟଷ ରଞ୍ଜନ ସାହୁ ପ୍ରମୁଖ ପହଂଚି ବିଭିନ୍ନ ଦିଗରୁ ତଦନ୍ତ ଜାରୀ ରଖିଛନ୍ତି । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାସ୍ଥଳରୁ ବ୍ୟବହୃତ ଫୁଟା ବୋମାର ଅଂଶବିଶେଷକୁ ଜବତ କରିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO