
ଗଞ୍ଜାମ- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ଗୁଳିକାଣ୍ଡ ଘଟିଛି । ଏଥିରେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଭାଲିଆଝର ଗ୍ରାମର ଜିତେନ୍ଦ୍ର ବାରିକ (୩୦) ଗୁରୁତର ଭାବେ ଆହତ ହୋଇଛନ୍ତି । ଜିତେନ୍ଦ୍ର ମାଣିକପୁରରେ ଥିବା ତାଙ୍କ ମାଉସୀ ଘରକୁ ଆସିଥିଲେ । ଆଜି ମା’ ରାହାଣ ଦେବୀ ମନ୍ଦିରରେ ତାଙ୍କ ବିବାହ କାର୍ଯ୍ୟକ୍ରମ ଆୟୋଜନ ହେବାର ଥିଲା । ତେବେ ଗତକାଲି ରାତିରେ ମାଉସୀ ଘର ବାରଣ୍ଡାରେ ସେ ଠିଆ ହୋଇ ମୋବାଇଲରେ କଥା ହେଉଥିବା ସମୟରେ କେହି ଦୁର୍ବୃତ ଆସି ତାଙ୍କୁ ପଛପଟରୁ ଗୁଳି କରିଥିଲା । ଗୋଟିଏ ରାଉଣ୍ଡ ଗୁଳି ତାଙ୍କ ପିଠିରେ ବାଜି ପେଟ ପଟେ ବାହାରି ପଡିଥିଲା । ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୈତୃକ ସମ୍ପତି ଭାଗବଂଟାକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି । ଖଲ୍ଲିକୋଟ ପୋଲିସ ଡ଼ାକ୍ତରଖାନାରେ ପହଂଚି ଘଟଣାର ଅନୁସନ୍ଧାନ ଚଳାଇଛି ।