● ଚୁଡାନ୍ତ ପର୍ଯ୍ୟାୟର ୧୫ ପ୍ରତିଯୋଗୀଙ୍କୁ ପଛରେ ପକେଇଲେ ସୁରଞ୍ଜିତା
● ଶ୍ରେଷ୍ଠ ପରିଧାନ ପ୍ରଭାଗରେ ହେଲେ ବିଜୟିନୀ
ବାଲେଶ୍ୱର, କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ – ବାଲେଶ୍ୱର ମାଟିର କନ୍ୟା ସୁରଞ୍ଜିତା ନିଜ ମାଟି ପାଇଁ ଆଣିଲେ ଗର୍ବ କରିବାର ଗାଥା। ହଁ, ସୁରଞ୍ଜିତା ନିକଟରେ ‘ମିସେସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍’ କଣ୍ଟେଷ୍ଟରେ ଭାଗ ନେଇ କୃତିତ୍ବ ସହ ସଫଳ ହୋଇଛନ୍ତି। ଏ ଖବର ସମଗ୍ର ଜିଲ୍ଲାରେ ଖୁସିର ବାତାବରଣ ଖେଳାଇ ଦେଇଛି।
ବାଲେଶ୍ଵର ଜିଲ୍ଲାର ଜଳେଶ୍ୱର ସହରରେ ରହନ୍ତି ବରିଷ୍ଠ ସାମ୍ବାଦିକ ସୁକୁମାର ରଣା ଏବଂ ତାଙ୍କ ପତ୍ନୀ ସମାଜସେବୀ ଅାରତୀ ଦାସ। ସୁରଞ୍ଜିତା ହେଲେ ବଡ ଝିଅ। ଏବେ ବିବାହ ପରେ ସୁରଞ୍ଜିତା ଦିଲ୍ଲୀରେ ରହୁଛନ୍ତି ସ୍ଵାମୀଙ୍କ ସହ।
ସଂପ୍ରତି ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହୋଇଯାଇଛି ‘ମିସେସ୍ ଇଣ୍ଡିଅା ଇଣ୍ଟରନେସନାଲ-2019’ ପ୍ରତିଯୋଗିତା। ଏଥିରେ ଭାଗ ନେଇ ସୁରଞ୍ଜିତା ‘ମିସେସ୍ ଇଣ୍ଡିଅା ବେଷ୍ଟ୍ ଡ୍ରେସ୍ଅପ୍’ ପୁରସ୍କାର ଲାଭ କରି ସମଗ୍ର ବାଲେଶ୍ୱର ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ସୁରଞ୍ଜିତା ବାଲେଶ୍ୱର ସହରର ବାରବାଟୀ ଉଚ୍ଚ ବାଳିକା ବିଦ୍ୟାଳୟରୁ ମ୍ୟାଟ୍ରିକ୍ ରେ ଉତ୍ତୀର୍ଣ୍ଣ ହେବା ପରେ କୁନ୍ତଳକୁମାରୀ ସାବତ୍ ମହିଳା ମହାବିଦ୍ୟାଳୟରୁ ସ୍ନାତକ ପାସ୍ କରିଛନ୍ତି। ପରେ ଭୁବନେଶ୍ୱର, କଟକ, ବାଙ୍ଗାଲୋର ଠାରେ ବିଭିନ୍ନ ବ୍ୟାଙ୍କରେ ବ୍ୟାଙ୍କ୍ ଅଫିସର୍ ରୂପେ କାର୍ଯ୍ୟ କରିବା ପରେ ୨୦୧୭ରେ ଦିଲ୍ଲୀସ୍ଥିତ ଏକ୍ସିସ୍ ବ୍ୟାଙ୍କର ସିନିୟର ମ୍ୟାନେଜର ଅାଦିତ୍ୟ ରାଜ ଦାଶଙ୍କ ସହିତ ବିବାହ ହୋଇଥିଲା। କଲେଜ ଜୀବନରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସେ ପୁରସ୍କୃତ ହୋଇଛନ୍ତି।
ଡ୍ରିମ୍ ପ୍ରଡକ୍ସନ ପକ୍ଷରୁ ‘ମିସେସ୍ ଇଣ୍ଡିଅା ଇଣ୍ଟରନେସନାଲ୍’ କାର୍ଯ୍ୟକ୍ରମ ଶରଦ ଚୌଧୁରୀଙ୍କ ପ୍ରଯୋଜନାରେ ଗତ ଅଗଷ୍ଟ ମାସ ୧୮ ତାରିଖରେ ନୂଅାଦିଲ୍ଲୀସ୍ଥିତ ଲୀଲା ପେଲେସ୍ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ଵ ମହିଳା ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୧୮ ଜଣ ଚୁଡାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଥିଲେ।
ସେପ୍ଟେମ୍ବର ୨୮ ତାରିଖରେ ଜୟପୁରସ୍ଥିତ ହେରିଟେଜ୍ ହୋଟେଲ ଠାରେ ଅନୁଷ୍ଠିତ ହେଲା ଫାଇନାଲ୍ ପ୍ରତିଯୋଗିତା। ଏଥିରେ ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରୁ ‘ମିସେସ୍ ଇଣ୍ଡିଅା ବେଷ୍ଟ ଡ୍ରେସ୍ ଅାପ୍’ ପୁରସ୍କାର ଗ୍ରହଣ କଲେ ବାଲେଶ୍ଵରର ଝିଅ ସୁରଞ୍ଜିତା। ଏହି ପ୍ରତିଯୋଗିତାରେ ମୁମ୍ବାଇର ବଲିଉଡ୍ କଳାକାର ରାଜବିଜୟ ସିଂ, ଉପେନ୍ ପଟେଲ, ସଫିଅା, ମିସ୍ ମିଣ୍ଡିଅା ଅନୁଭବ ବଶିଷ୍ଠ, ଏସିପି ଅନୁଜ ଚୌଧୁରୀ, ପ୍ରିୟଙ୍କା ଶର୍ମା, କରଣ କୁନ୍ଦ୍ରା, ଜୟା ଅାଫ୍ରୋଜ୍, ସୋ ଗୃମର୍ସ, ରୀତା ଗଙ୍ଗୁଅାନି, ଡ. ବରୁଣ କଟୟାଲ, ଡ. ଅଂଜଳୀ ଚାଓ୍ୱଲା, ଅନୁଜ ଲାଲଓ୍ୱାନୀ ପ୍ରମୁଖ ବିଚାରକ ରୂପେ ଯୋଗ ଦେଇଥିଲେ।
“ମୋ ମାଆ ଏବଂ ସ୍ବାମୀ ଅାଦିତ୍ୟ ରାଜ୍ ଙ୍କ ପ୍ରେରଣା ଯୋଗୁଁ ମୁଁ ଏହି ସମ୍ମାନ ପାଇ ପାରିଲି” ବୋଲି ସୁରଞ୍ଜିତା ତାଙ୍କ ପ୍ରତିକ୍ରିୟାରେ ‘ଇଣ୍ଡୋକଳିଙ୍ଗଟାଇମ୍ସ’କୁ କହିଛନ୍ତି।
ତାଙ୍କର ଏହି ବିରଳ କୃତିତ୍ୱ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।