- ଜିଲ୍ଲା ପ୍ରଶାସନ ତରଫରୁ ୨୦୦ ଗାଈ ରଖିବା ପାଇଁ ଦେଲେ ପ୍ରସ୍ତାବ, ୧୦ ଏକର ସରକାରୀ ଜମିରେ କରାଯିବ ଘାସ ଚାଷ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ସଂଚାଳିତ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଆଜି ଜିଲ୍ଲାପାଳ ବଲୱନ୍ତ ସିଂହ ପହଞ୍ଚି ଗୋଶାଳା ରେ ଗୋସେବାର ବିଭିନ୍ନ ଯୋଜନା ର ପରିଦର୍ଶନ କରିଥିଲେ |ଗୋବିନ୍ଦ ଗୋଧାମ ଗୋଶାଳା ଭ୍ରମଣ କରି ଗୋବଂଶ ମାନଙ୍କ ରହିବା ପାଇଁ ଏହା ସୁରକ୍ଷିତ ସ୍ଥାନ ଓ ଧର୍ମ ରକ୍ଷା ନିମନ୍ତେ ଏଠାରେ ଗୋମାତା ମାନଙ୍କୁ ପ୍ରତିଦିନ ପୂଜା କରାଯାଉଥିବାର ଦେଖି ସେ ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ଏହା ଗୋମାତା ମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ସେ ଅନୁଭବ କରିଥିଲେ |ଗୋଶାଳା ପରିଦର୍ଶନ ସମୟରେ ଗୋବିନ୍ଦ ଗୋଧାମ ଗୋଶାଳା ର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ନୁଚରଣ ପଣ୍ଡା ଙ୍କ ସହିତ ଆଲୋଚନା ମାଧ୍ୟମରେ ପୁରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଂହ ଗୋବିନ୍ଦ ଗୋଧାମ ଗୋଶାଳା ରେ ଜିଲ୍ଲା ପ୍ରଶାସନ ତରଫରୁ ୨୦୦ ଗାଈ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ |ଏଥି ସହିତ ଗୋଶାଳା ନିକଟରେ ଥିବା ୧୦ ଏକର ସରକାରୀ ଜମିରେ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ସହାୟତାରେ ଗୋମାତା ଖାଦ୍ୟ ନିମନ୍ତେ ଉର୍ନ୍ନତ ମାନର ଘାସ ଚାଷ କରାଯିବା ପାଇଁ ମତବ୍ୟକ୍ତ କରିଥିଲେ |ଗୋବଂଶ ମାନଙ୍କ ମୌଳିକ ସୁବିଧା ପାଇଁ ଇଡ଼କୋ ରୋଡ ଠାରୁ ଗୋଶାଳା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ଏକ ପୋଖରୀ ନିର୍ମାଣ ଓ ଗୋଶାଳା ପରିସରକୁ ଆଲୋକୀ କରଣ ପାଇଁ ଜିଲ୍ଲାପାଳ ବଲୱନ୍ତ ସିଂହ ପ୍ରତିଶୃତି ଦେଇଛନ୍ତି |
ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହିତ ପୁରୀ ମୁନିସିପାଲିଟି ଅଧିକାରୀ ବିଜୟ କୁମାର ଦାସ ଓ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀ ପ୍ରସନ୍ନ କୁମାର ପୃଷ୍ଟି, ଗୋଶାଳା ମହନ୍ତ କୃଷ୍ଣଚନ୍ଦ୍ର ଦାସଜୀ ମହାରାଜ,ମ୍ୟାନେଜର ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ |