ବୌଦ୍ଧ– ରାଜ୍ୟରେ ଏବେ ଆଉ ଏମ୍ ଆରର୍କ ପଢ଼ିବାର ସୁବିଧା ନଥିବାରୁ ଆଶାୟୀ ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡିଥିବା ବେଳେ ଏବେ ସେମାନଙ୍କୁ ଅଯଥା ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଯିବାକୁ ପଡିବ । ରାଜ୍ୟର ଅନେକ ଛାତ୍ରଛାତ୍ରୀଙ୍କ ଆର୍ଥିକ ସମ୍ବଳ ନଥିବା ସାଙ୍ଗକୁ ରାଜ୍ୟ ବାହରେ ରହି ପାଠପଢ଼ିବାର ସୁବିଧା ନଥିବାରୁ ଶହଶହ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାରୁ ବଂଚିତ ହେବେ । ରାଜ୍ୟରେ ଏମ୍ ଆରର୍କ କୋର୍ସରେ ନାମ ଲେଖାଇବା ପାଇଁ ଓଜେଇ କାଉଁନସେଲିଙ୍ଗ ଆରମ୍ଭ କରିଥିବା ବେଳେ ସେମାନଙ୍କ ତାଲିକାରୁ ଏମ୍ ଆରର୍କ ବାଦ ପଡିଛି । ଚଏସ ଫିଲିଙ୍ଗ ତାଲିକାରେ ନା ଅଛି କଲେଜର ନାମ ନା ଅଛି ଏମ୍ ଆରର୍କ କୋର୍ସର ନାମ । ରାଜ୍ୟରେ ଭୁବନେଶ୍ୱରର ସିଇଟି ଓ ରାଉରକେଲା ବିପିୟୁଟିରେ ପୂର୍ବରୁ ଏମ୍ ଆରର୍କ ପଢ଼ିବା ପାଇଁ ସୁବିଧା ରହିଥିବା ବେଳେ ଏଥର ସେହି କଲେଜ ଦ୍ୱୟର ନାମ ବାଦ ପଡିଛି । ଅଥଚ ଏମ୍ଆରର୍କ କୋର୍ସରେ ନାମ ଲେଖାଇବା ପାଇଁ ଓଜେଇଇ ପକ୍ଷରୁ ଏନ୍ଣ୍ଟାନ୍ସ ପରୀକ୍ଷା କରାଯାଇଥିଲା । ଏନେଇ ଓଜେଇର ଯୋଗାଯୋଗ ପାଇଁ ଉଦିଷ୍ଟ ଫୋନ କାମ କରୁନଥିବାରୁ କିମ୍ବା ଅତ୍ୟଧିକ ବ୍ୟସ୍ତ ରହୁଥିବାରୁ ଛାତ୍ରଛାତ୍ରୀମାନେ ଯୋଗାଯୋଗ ମଧ୍ୟ କରିପାରୁନାହାନ୍ତି । ରାଜ୍ୟ ସରକାର ମେଧାବୀ ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ପାଇଁ ରାଜ୍ୟରେ ସମସ୍ତ ସୁବିଧାସୁଯୋଗ ରହିଥିବା ଡିମଡିମି ପିଟୁଥିବା ବେଳେ ପ୍ରତିବର୍ଷ ବିଭିନ୍ନ କୋର୍ସ ବନ୍ଦକରୁଥିବା ଅଭିଯୋଗ ହେଉଛି । ଚଳିତ ବର୍ଷ ସିଇଟି କଲେଜରେ କେବଳ ଏମ୍.ପ୍ଳାନ , ଗାନ୍ଧୀ ଇନଷ୍ଟିଚ୍ୟୁଟରେ କନଷ୍ଟ୍ରକସନ ଟେକନୋଲୋଜି ଓ ପିଲୋ ମୋଦି କଲେଜରେ ଏକ୍ୟୁଜକୁଟିଭ ଏମ୍.ଆରର୍କ ରହିଅଛି । ମେଧାବୀ ଛାତ୍ରଛାତ୍ରୀମାନେ ଏମ୍ଆରର୍କ କୋର୍ସରେ ନାମ ଲେଖାଇବା ପାଇଁ ଓଜେଇଇ ପକ୍ଷରୁ କରାଯାଇଥିବା ଏନ୍ଣ୍ଟାନ୍ସ ପରୀକ୍ଷା ଦେଇ ଏବେ ଭକୁଆ ସାଜିଛନ୍ତି । ରାଜ୍ୟରେ ଏବେ ଯଦି ଏମ୍ ଆରର୍କ ପଢ଼ିବାର ସୁବିଧା ନଥିଲା ତେବେ ଓଜେଇଇ କତୃପକ୍ଷ ଏନ୍ଣ୍ଟାନ୍ସ ପରୀକ୍ଷା କଲେ କେମିତି ? ଏଦିଗରେ ଓଜେଇଇ ଓ ଉଚ୍ଚ ଶିକ୍ଷା ବିଭାଗ ଦୃଷ୍ଟି ଦେଇ ସମାଧାନ କରିବାକୁ ଛାତ୍ରଛାତ୍ରୀ ମହଲରେ ଦାବୀ ହେଉଛି ।