ଭୁବନେଶ୍ୱର – କଟକ ପରେ ରାଜଧାନୀ ଭୁବନେଶ୍ୱରରେ ନକଲି ଖାଇବା ତେଲ କାରଖାନା ଠାବ ହୋଇଛି । ଲକ୍ଷ୍ମୀସାଗର ଅଂଚଳରେ ଏହି ଭେଜାଲ ଖାଇବା ତେଲ କାରଖାନା ଚାଲିଥିଲା । ସେଠାରେ ଖାଇବା ତେଲ , ଘିଅ ଓ ରାଶି ତେଲ ଇତ୍ୟାଦି ଅପମିଶ୍ରଣ କରାଯାଉଥିଲା ଏବଂ ବ୍ରାଣ୍ଡେଡ୍ କମ୍ପାନୀର ନକଲି ଲୋଗୋ ଲଗାଇ ବଜାରକୁ ଛଡାଯାଉଥିଲା । ମଙ୍ଗଳବାର ଦିନ କମିଶନରେଟ୍ ପୋଲିସ ସେଠାରେ ଚଢାଉ କରି ପ୍ରାୟ୨ ହଜାର ଲିଟର ନକଲି ତେଲ ଜବତ କରିଥିବାବେଳେ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଏହି ନକଲି ତେଲ କାରଖାନାଟି ଲକ୍ଷ୍ମୀସାଗର ଥାନାଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବାବେଳେ କିଭଳି ପୋଲିସ ଏ ପର୍ଯ୍ୟନ୍ତ ଟେର ପାଇନଥିଲା ତାହା ସନ୍ଦେହ ସୃଷ୍ଟି କରିଛି ।
ଦୀର୍ଘଦିନ ଧରି ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଂଚଳରେ ଥିବା ଏକ ଘରେ ନକଲି ଖାଇବା ତେଲ କାରଖାନା ·ଲିଥିଲା । ଖବର ପାଇ ଆଜି ପୋଲିସ ସେଠାରେ ଚଢାଉ କରିଥିଲା । ସେଠାରୁ ବିପୁଳ ପରିମାଣର ନକଲି ଓ ଅପମିଶ୍ରିତ ଖାଇବା ତେଲ ଓ ଘିଅ ଜବତ କରାଯାଇଛି । ଏହା ସହ ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ନକଲି ଲୋଗୋ ଲାଗିଥିବା ତେଲ ଓ ଘିଅ ବୋତଲ ମଧ୍ୟ ଜବତ ହୋଇଛି । ଏଠାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ନକଲି ଖାଇବା ତେଲ ପଠାଯାଉଥିଲା । ତେବେ ଏହି ନକଲି ଖାଇବା ତେଲ ପ୍ରସ୍ତୁତି ପାଇଁ କଂଚାମାଲ କେଉଁ ଠାରୁ ଆସୁଥିଲା ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ କରୁଛି । ଘଟଣାରେ ୪ଜଣଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି ।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ କଟକ ସଦର ବମ୍ପକୁଦ ଅଂଚଳରୁ ମଧ୍ୟ ଏକ ନକଲି ଖାଇବା ତେଲ ତାରିଖାନା ଠାବ ହୋଇଥିଲା । ସେଠାରୁ ବିଭିନ୍ନ ସରଂଜାମ ସହ ୩୦ ହଜାର ଲିଟର ଅପମିଶ୍ରିତ ତେଲ ମଧ୍ୟ ଜବତ ହୋଇଥିଲା ।