
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,ବୁଧବାର କାର୍ତ୍ତିକ କୃଷ୍ଣ ଏକାଦଶୀ ତିଥି ରେ ସନ୍ଧ୍ୟା ଆଳତି ପରେ “ରମା ଏକାଦଶୀ” ନୀତି ପାଳିତ ହୋଇଛି । ପ୍ରତ୍ୟେକ ଏକାଦଶୀ ନୀତି ସନ୍ଧ୍ୟା ଆଳତି ପରେ ଆରମ୍ଭ ହୁଏ |ଏହି ନୀତି ପାଇଁ ସକାଳେ ଘଟୁଆରି ସେବକ ରୁପା ପିଙ୍ଗଣ ରେ ଚନ୍ଦନ, କର୍ପୁର,ଓ ବଳିତା ଆଳତି, ପୂଜା ଆଳତି ଦାନୀ, ରତ୍ନଭଣ୍ଡାରରୁ ଗଦିଫେଟା, ଘସା ବିଡ଼ିଆ ଓ ଦହିପଟି ଯୋଗାଇଥିଲେ । ବିମାନଘରୁ ବିମାନ ଓ ଭଣ୍ଡାର ଘରୁ ରୂପା କଳସ ଆସିଥିଲା , ଅଖଣ୍ଡ ମେକାପ ବଇଠା ଯୋଗାଇଥିଲେ ,ପାଳିଆ ଖୁଣ୍ଟିଆ ଶୁକ୍ଳ ଫୁଲ ଯୋଗାଇଥିଲେ ।ଏହି ନୀତି କାର୍ଯ୍ୟ ୨୨ଜଣ ସେବାୟତ ଙ୍କ ଦ୍ଵାରା ସମ୍ପର୍ଣ୍ଣ ହୋଇଛି ।ଯଥା- ଘଟୁଆରି,ପଣ୍ଡା, ପତି ମହାପାତ୍ର,ମୁଦିରସ୍ତ,ପାଳିଆ ପଶୁପାଳକ,ବିମାନବଡୁ,ପାଳିଆ ପଢ଼ିଆରୀ ଖଟଶେଯ ମେକାପ,ଆସ୍ଥାନ ପଢ଼ିଆରୀ, ସୁଦୁ ସୁଆର, ଚୂନର। ,ପର୍ବଯାତ୍ରା ଯୋଗଣିଆ,ଛତାର, ଘଣ୍ଟୁଆ,କାହାଳିଆ, ଦୁହୁଡ଼ିଆ,ଭିତରଛୁ ମହାପାତ୍ର,ପାଳିଆ ମେକାପ,ଅମୁଣିଆ ଛତାର,ପାଳିଆ ଖୁଣ୍ଟିଆ ପୂଜାପଣ୍ଡା ଓ ଅଖଣ୍ଡ ମେକାପ ।ଏକାଦଶୀ ରେ ମଧ୍ୟାନ ଧୂପ ଅପରାହ୍ନ ୨.୫୦ ରେ ସରି ମଇଲମ ପରେ ଶାଢ଼ୀ, ଖଣ୍ଡୁଆ ଲାଗି ହୋଇ ସନ୍ଧ୍ୟା ଆଳତି ହେବା ପରେ ଠାକୁର ମାନଙ୍କ ର ସର୍ବାଙ୍ଗ ଚନ୍ଦନ ଲାଗି ହେଲା । ଘଟୁଆରି ରୂପାପିଙ୍ଗଣ ରେ ଯୋଗାଇଥିବା ଚନ୍ଦନ,କର୍ପୁର,କସ୍ତୁରୀ,ଚୁଆ ଇତ୍ୟାଦି ଭଣ୍ଡାର ଦ୍ୱାରରେ ରହିଥିଲା । ପଣ୍ଡା,ପତି ମହାପାତ୍ର ଓ ମୁଦିରସ୍ତ ଏହା ନେଇଥିଲେ ।ସେମାନେ ସିଂହାସନରେ ଥିବା ତିନିଜଣ ପାଳିଆ ପଶୁପାଳକ ଠାକୁରଙ୍କୁ ଚନ୍ଦନଲାଗି କରିଥିଲେ ,ସର୍ବାଙ୍ଗ ପୂର୍ବରୁ ଦକ୍ଷିଣ ଘରୁ ମହାଜନେ ମଦନମୋହନ ଙ୍କୁ ଭିତରେ ବିଜେ କରାଇଲେ ।ଆଜ୍ଞା ମାଳ ପାଇଲାପରେ ମହାଜନେ ମଦନମୋହନ ଙ୍କୁ ନେଇ ଝୁଲଣ ମଣ୍ଡପ ତଳେ ବିମାନବଡୁ ରଖିଥିବା ପାଲିଙ୍କିରେ ବିଜେ ହୋଇ, ଛତାର,ଘଣ୍ଟୁଆ ଓ କାହାଳିଆ ସମେତ ଶ୍ରୀମନ୍ଦିର ବେଢ଼ା ବୁଲି ପାଲିଙ୍କି ମଙ୍ଗଳାଙ୍କ ଆଗରେ ରହିଥିଲା। ଏହାପରେ ମହାଜନେ ଠାକୁରଙ୍କୁ ଜୟବିଜୟ ଦ୍ଵାରକୁ ନେଲାପରେ ପାଳିଆ ପଢ଼ିଆରୀ ଏହି ଦ୍ୱାର ବନ୍ଦ କରିଥିଲେ ଏବଂ ଖଟଶେଯ ମେକାପ ଆସନ ପକାଇଥିଲେ ।ଠାକୁର ସେଠାରେ ବିଜେ ହେଲାପରେ, ପୂଜାପଣ୍ଡା ଆସି କୋରା ଭୋଗ କଲାପରେ, ଆଳତି, ବନ୍ଦାପନା ଓ ଭୋଗ ନକ୍ଷେତ୍ର ବନ୍ଦାପନା ନୀତି ଅନୁସାରେ ହୋଇ ପଢ଼ିଆରୀ ଦୁଆର ଖୋଲିବାପରେ ଠାକୁର ଦକ୍ଷିଣ ଘରୁକୁ ବିଜେ କରିଥିଲେ । ଏହା ପରେ ସନ୍ଧ୍ୟା ଧୂପ ପରେ ମହାଦୀପ ଆଳତି ପାଇଁ ଗରୁଡ ସେବକ ଚୂନର। ୩ ଟା ରୁପା କଳସ ରେ ଘିଅ ଓ ପ୍ରତ୍ୟେକ ରେ କଦଳୀ ବସୁଙ୍ଗାରେ ନୂଆ କନାକୁ, ବଳିତା ଭଳି କରି କଳସରେ ବସୁଙ୍ଗା ବୁଡି ,ବଳିତା କାଠି ଉପରକୁ କରିଥିଲେ । ଚୁନରା ତାହା ଧରି ରତ୍ନସିଂହାସନ ପାଖକୁ ଯାଇ ପତ୍ରି ହାତରେ ଦେଇଥିଲେ | ପତ୍ରି ବଳିତା ଲଗାଇ ତିନି ବାଡ଼ରେ ତିନି ପଣ୍ଡାଙ୍କୁ ଦେଇଥାନ୍ତି । ସେମାନେ ସଂସ୍କାର ପୂର୍ବକ ମହାଦୀପ ଆଳତି କରିଥିଲେ ଓ ସିଂହାସନ ଚାରିପଟେ ବେଢ଼ାବୁଲି ଜୟବିଜୟ ଦ୍ୱାର ବାଟେ ଆସି ଗଣେଶଙ୍କ ରାସ୍ତା ଦେଇ ମହାଦୀପ କଳସରେ ଧରି ଶ୍ରୀ ଶ୍ରୀ ବିମାଳାଙ୍କ ପର୍ଯ୍ୟନ୍ତ ଯାଇଥିଲେ ।ବିମଳା ମନ୍ଦିର ସାମ୍ନାରେ ଚୂନର। କୁ ୩ ଟି କଳସ, ନୀଳଚକ୍ର ପାଇଁ ତୁଳସୀ, ଚନ୍ଦନ ଦେଇ ପଣ୍ଡାମାନେ ଚାଲିଗଲେ । ଏହି ସମୟରେ ଘଟୁଆରି ଚୂନର। କୁ୧୨ଟା ଚନ୍ଦ୍ରଉଦିଆ ଦେଲେ । କଳସ ରଖିଦେଇ ମହାଦୀପ,ଚନ୍ଦ୍ରଉଦିଆ ଧରି ୩ ଜଣ ଚୂନର। ମନ୍ଦିର ଉପରକୁ ଉଠିଲେ ।ସଙ୍ଗରେ ନଡ଼ିଆକତା ଲଗାଇ ନିଆଁ ନେଇଥିଲେ । ଦଧିନଉତି ତଳେ ଠିଆ ହୋଇ ତୁଳସୀ, ଚନ୍ଦନ ନୀଳଚକ୍ର ଙ୍କୁ ଲାଗିକରି ଚାରିପଟେ ୩ ଘେରା ବୁଲି ଏବଂ ଚନ୍ଦ୍ରଉଦିଆ ପ୍ରତ୍ୟେକ ଦିଗରେ ୩ ଟି ଲେଖାଏଁ ଜାଳିଲେ । ବୁଲିବା ସମୟରେ “ମା ପ୍ରଭୁ ପୁରୀ ରାଜାଙ୍କୁ (ନାମଧରି) ଶଙ୍ଖେ ପୁରାଇ ଚକ୍ରଆଢୁଆଳ କରନ୍ତୁ” ବୋଲି ଓ ହରିବୋଲ ଡାକ ଦେଲେ | ଏହି ମତେ ଏକାଦଶୀ ନୀତି ସମ୍ପର୍ଣ୍ଣ ହୋଇଥିଲା |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO