-
୧୩୩୯୫ ଭୋଟ ବ୍ୟବଧାନରେ ପରାଜିତ କଲେ ବିଜେପିର ମାନସ ଦତ୍ତଙ୍କୁ
ବାଲେଶ୍ୱର ସଦର ଉପ ନିର୍ବାଚନରେ ବିଜେଡି ବାଜିମାତ କରିଥିବା ବେଳେ, ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଯୁବନେତା ତଥା ସମାଜସେବୀ ସ୍ଵରୂପ କୁମାର ଦାସ। ବିଜେପି ହାତରୁ ସଦର ଆସନକୁ ବିଜେଡି ହାତେଇ ନେଇଥିବା ବେଳେ, ବିଜେଡ଼ି ମହଲରେ ଖୁସିର ଲହରୀ ଖେଳିଯାଇଛି। ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀର ୨୬ଟି ପଂଚାୟତ ତଥା ପୌରପାଳିକା ଅନ୍ତର୍ଗତ ୩୧ଟି ୱାର୍ଡ଼ରେ ବିଜେଡି ଭଲ ସଫଳତା ପାଇଥିବା ଲକ୍ଷ୍ୟ କରାଯାଇଛି।
ଆଜି ଭୋଟ ଗଣନା କାର୍ଯ୍ୟର ୨୫ ରାଉଣ୍ଡ ଗଣନା ଶେଷ ବେଳକୁ ବିଜେଡିକୁ ୮୨,୮୧୦ ଜନ ସମର୍ଥନ ମିଳିଥିବା ବେଳେ ବିଜେପି ପାଇଛି ୬୯,୪୧୫।
ବିଜେଡି ପ୍ରାର୍ଥୀ ସ୍ଵରୂପ ଦାସ ବିଜୟୀ ହେବାକୁ ନେଇ ବାଲେଶ୍ଵରରେ ବିଜେଡି କର୍ମୀଙ୍କ ମଧ୍ୟରେ ବିପୁଳ ଉତ୍ସାହର ମାହୋଲ ଦେଖା ଦେଖା ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ତଥା ବିଧାନସଭା ପ୍ରାର୍ଥୀ ସ୍ବରୁପ ଦାସଙ୍କ ଜୟ ଜୟକାର କରୁଥିବା ଦେଖିବାକୁ ମିଳିଛି। ହାତରେ ବିଜେଡି ପତାକା ଧରି ଏକ ପ୍ରକାର ନିର୍ବାଚନ ଫଳାଫଳକୁ ନେଇ ଉତ୍ସବ ପାଳୁଛନ୍ତି ଉତ୍ସାହୀ କର୍ମୀମାନେ।
ବାଲେଶ୍ବର ସଦର ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ସ୍ବରୂପ ଦାସଙ୍କୁ ଏଥର ଦଳୀୟ ଟିକେଟ ମିଳିଥିଲା। ନୂଆମୁହଁ ହୋଇଥିଲେ ହେଁ ସ୍ଵରୂପ ଦୁଇଥର କାଉନସିଲର ହୋଇଛନ୍ତି। ଏଥିସହ ସେ କରୋନା ସମୟରେ ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ନିର୍ବାଚନ ରଣାଙ୍ଗନରେ ବିଜେପି ପକ୍ଷରୁ ମାନସ ଦତ୍ତ ଓ କଂଗ୍ରେସ ପକ୍ଷରୁ ମମତା କୁଣ୍ଡୁ ଏହି ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିଲେ।
ସେପଟେ ତିର୍ତ୍ତୋଲ୍ ବିଧାନସଭା ଆସନକୁ ମଧ୍ୟ ବଡ ବ୍ୟବଧାନରେ ବିଜେଡି ହାତେଇଛି। ପୂର୍ବରୁ ବିଧାୟକ ଥିବା ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ସେ ୪୧ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି। ସେଠାରେ ବିଜେପିର ପ୍ରାର୍ଥୀ ରାଜ କିଶୋର ବେହେରା ଓ କଂଗ୍ରେସର ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ଯଥାକ୍ରମେ ୪୬,୧୦୦ ଓ ୨୮,୩୫୭ ଭୋଟ ପାଇଛନ୍ତି। ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ବିଧାନସଭା ଆସନ ହାତେଇଛି ବିଜେଡି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବିଜୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।