ପ୍ରତ୍ୟେହ ଟଙ୍କା ଉଠାଣ ପାଇଁ ଏଠାରେ ଶତାଧିକ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଏଟିଏମ୍ ସମ୍ମୁଖରେ ପଡିରହିଛି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା । ତା ଉପରେ ପଡୁଥିବା ପାନ ଗୁଟଖା ଛେପ, ଖଙ୍କାର ଅପରିଷ୍କାର ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଏପରିକି ଅସରାଏ ବର୍ଷା ହେଲେ ଦୁର୍ଗନ୍ଧରେ ଫାଟି ପଡୁଛି ଏଟିଏମ ପାଖ ଏରିଆ । ଯାହାକି କରୋନା ସଂକ୍ରମଣର ଭୟ ଓ ଆଶଙ୍କାକୁ ଦ୍ୱିଗୁଣିତ କରିଛି । କେତେକ ସମୟରେ ଲୋକେ ଏଟିଏମ୍ ପାଇଁ ଟଙ୍କା ଉଠାଣ ପାଇଁ ଧାଡ଼ିରେ ଛିଡ଼ା ହେଉଥିବା ବେଳେ ଅସହ୍ୟ ଦୁର୍ଗନ୍ଧ ଯୋଗୁଁ ମୁହଁରେ ଗାମୁଛା ଓ ରୁମାଲ୍ ଢ଼ାଙ୍କି ଛିଡା ହେଉଥିବା ଦେଖିବାକୁ ମିଳିଛି ।
ଅନ୍ୟପକ୍ଷରେ ଏଟିଏମ୍ ର ସୁରକ୍ଷା ବ୍ୟବସ୍ଥା କଥା ଯଦି କହିବା । ଏଠାରେ କୌଣସି ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଫଳରେ ବିଶେଷ କରି ବୟସ୍କ ବ୍ୟକ୍ତି ଓ ଏଟିଏମ୍ ସେବା ବାବଦରେ ଅନଭିଜ୍ଞ ଲୋକ ମାନେ ଅନେକ ସମୟରେ ଠକାମିର ଶିକାର ହେଉଛନ୍ତି । ସେହିପରି ମାସ ମାସ ଧରି ଭାଙ୍ଗି ପଡିଛି ଏଟିଏମ୍ ଡ଼ୋର୍ । ଏହା ବ୍ୟତିତ ବିଦ୍ୟୁତ କାଟ୍ ସମୟରେ ଏଠାରେ ବ୍ୟାଙ୍କିଂ ସେବା ଉପଲବ୍ଧ ହୁଏ ନାହିଁ, ଯାହାକି ଅନ୍ୟ ଏକ ପ୍ରମୁଖ ସମସ୍ୟା । ଫଳରେ ସପ୍ତାହରେ ଦୁଇ ଦିନ ହାଟପାଳି ଶନିବାର ଓ ମଙ୍ଗଳବାର ଏବଂ ଅନ୍ୟ ଦିନ ମାନଙ୍କରେ ବ୍ୟବସାୟୀ ମାନେ ନାହିଁ
ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କେହି କେହି ଅତି ଆବଶ୍ୟକ ଥିଲେ ସାକ୍ଷିଗୋପାଳ କିମ୍ବା ମଙ୍ଗଳପୁର ଏସବିଆଇ ଏଟିଏମକୁ ଟଙ୍କା ଉଠାଣ ପାଇଁ ଯାଇଥାନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ସାତଶଙ୍ଖ ଓ ଏହାର ଆଖପାଖ ଅଂଚଳରେ ଆଜି ସୁଦ୍ଧା ୫୦ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ଅଧିକାଂଶ ଏବେ ସୁସ୍ଥ ହୋଇ ଫେରି ସ୍ୱାଭାବିକ୍ ଜୀବନ ବିତାଉଛନ୍ତି । ସେହିପରି ଅନ୍ୟ କେତେକଙ୍କର ଅଦ୍ୟାବଧି ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିଛି । ଏହା ବ୍ୟତୀତ କେତେକ ସମ୍ପ୍ରତି ଚିକିତ୍ସାଧିନ ରହିଛନ୍ତି । ଏପରି ସ୍ଥିତିରେ ଏସବିଆଇ କର୍ତୃପକ୍ଷଙ୍କ ଏଭଳି ଦାୟିତ୍ୱହିନତା ଓ ମନମୁଖି କାରବାରକୁ ନେଇ ସାଧାରଣରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । କର୍ତୃପକ୍ଷ ତୁରନ୍ତ ଏ ସମସ୍ତ ସମସ୍ୟା ପ୍ରତି ଦୃଷ୍ଟିଦେବା ସହିତ ଏଟିଏମ୍ ସାମ୍ନାକୁ ସଫାସୁତୁରା ରଖିବା ଦିଗରେ ପଦକ୍ଷେପ ଗ୍ରହଣ କରିବା, ଏଟିଏମ୍ ରେ ସାନିଟାଇଜର୍ ବ୍ୟବସ୍ଥା ଓ ସୁରକ୍ଷା କର୍ମୀ ନିଯୁକ୍ତି କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।