
କନ୍ଧମାଳ – କନ୍ଧମାଳ ଜିଲା କୋଟଗଡ଼ ବନାଂଚଳରେ ଆଜି ଘଟିଛି ଏକ ଅଭାବନିୟ ଘଟଣା । ଖୋଦ୍ କୋଟଗଡ଼ ବନାଞ୍ଚଳ ଅନ୍ତର୍ଗତ ଶ୍ରୀରାମପୁର ସେକସନର ଫରେଷ୍ଟର ଅଞ୍ଜନ ନାୟକ ଶ୍ରୀରାମପୁର ପଞ୍ଚାୟତର ଓଡ଼ିଆସାହିରୁ ଏକ ଟ୍ରାକ୍ଟର ନମ୍ବର ଓ.ଡ଼ି-୧୨ଏ-୦୫୯୬ରେ ବିଭିନ୍ନ ପ୍ରକାର କାଠ , ଝରକା , କବାଟ , ପିଆଶାଳକାଠ ,ଶାଳ ପଟା ଆଦି ନେଉଥିବା ବେଳେ ଆଜି ଉକ୍ତ ଅଞ୍ଚଳର ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ଟ୍ରାକ୍ଟରକୁ ଜବତ କରିବା ଘଟଣା ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି । ଗତ କିଛିଦିନ ହେଲା ଶ୍ରୀରାମପୁର ସେକସନ୍ ଫରେଷ୍ଟର ଭାବେ କାମ କରୁଥିବା ଅଂଚନ ନାୟକ ଏଭଳିକାର୍ଯ୍ୟରେ ଲିପ୍ତଥିବା ନେଇ ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ , ବିଣାପାଣି ସ୍ୱୟଂ ସହାୟକ ଗୋଷ୍ଠି , ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ିଂ ଭଳି ବହୁ ସ୍ୱୟଂ ସହାୟକ ଗୋଷ୍ଠିର କର୍ମକର୍ତ୍ତା ଓ ଦସସ୍ୟାମାନେ ଅଟକ ରଖିଥିବ ବେଳେ ଏଥିରେ ବହୁ ଗ୍ରାମବାସୀ ମାନେ ମଧ୍ୟ ସାମିଲ୍ ହୋଇଥିଲେ । ଅଭିଯୋଗ ପ୍ରକାରେ , ଦାୟି୍ତ୍ୱରେ ଥିବା ବନଖଣ୍ଡ ଅଧିକାରୀ ଗ୍ରାମର କୌଣସି ବ୍ୟକ୍ତି ଜଙ୍ଗଲରୁ ସୁଖିଲା କାଠଖଣ୍ଡିଏ ଆଣିଲେ ତାଙ୍କ ନାନା ପ୍ରକାର ଧମକ ଚମକ ଦିଆଯିବା ସହିତ ମାମଲା ରୁଜୁକରୁଥିବା ବେଳେ ଖୋଦ୍ ଅଧିକାରୀ ଏଭଳି ଟ୍ରାକ୍ଟର ଦ୍ୱାରା ମୂଲ୍ୟବାନ କାଠ ଓ ସରଞ୍ଜାମ କାହା ନିର୍ଦ୍ଦେଶରେ ଚାଲାଣ କରୁଥିଲେ ବୋଲି ପ୍ରଶ୍ନ କରିଥିଲେ । ଘଟଣା ସ୍ଥଳାକୁ ବାଲିଗୁଡ଼ା ଡ଼ି.ଏଫ୍.ଓ ଏବଂ କୋଟଗଡ଼ ରେଞ୍ଜର ଆସି ନାହାନ୍ତି ସେ ପର୍ଯ୍ୟନ୍ତ ଜବତ ଟ୍ରାକ୍ଟର ଛାଡ଼ିବୁ ନାହିଁ ବୋଲି ଚେତାବନି ଦେବା ପରେ ଖବର ପାଇଁ ଘଟଣା ସ୍ଥଳରେ କୋଟଗଡ଼ ବନାଞ୍ଚଳ ଅଧିକାରୀ ବି.ଡ଼ି.ଜେନା , କୋଟଗଡ଼ ବନପାଳ ପ୍ରସନ୍ନ ପାତ୍ର , କୋଟଗଡ଼ ଥାନା ଏସ୍.ଆଇ ପ୍ରମୁଖ ପହଞ୍ଚି ମହିଳା ଓ ଗ୍ରାମବାସୀ ମାନଙ୍କ ସହିତ ବୁଝାସୁଝା କରିଥିଲେ ମଧ୍ୟ ଏଥିରେ ମହିଳା ମାନେ ରାଜି ହୋଇନଥିଲେ । ପରେ ଏଥିରେ ଶ୍ରୀରାମପୁର ସି.ଆର୍.ପି.ଏଫ୍ କ୍ୟାମ୍ପର କମାଣ୍ଡାର ହସ୍ତକ୍ଷେପ କରି ବୁଝାସୁଝା କରିଥିଲେ ମଧ୍ୟ କୌଣସି ପ୍ରକାର ସଫଳ ହୋଇନଥିଲା । ତୁରନ୍ତ ଏଭଳି ବେଆଇନ ଭାବେ ଚାଲାଣ କରୁଥିବା ବନ ବିଭାଗର କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ିବସିଥିଲେ ସ୍ୱୟଂ ସହାୟକ ଗୋଷ୍ଠି ଓ ଗ୍ରାମବାସୀ ମାନେ । ତେବେ ଆଳୁ ଖୋଳୁଖୋଳୁ ମହଭାରତ ପରି ଗ୍ରାମବାସୀ ଆଲୋଚନା ବେଳେ ବହୁ ଜିନିଷ ଅଭିଯୋଗ କରିଥିଲେ । ବିଶେଷକରି ଗତ ଦିନରେ ବନ ବିଭାଗ ପକ୍ଷରୁ ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ମୂଲ ଦିଆଯାଇ ନାହିଁ । ଦିନକୁ ୨୮୦ ଟଙ୍କା ଦେବାର କୁହାଯାଇଥିବା ବେଳେକାମ ସରିବାର ଇତି ମଧ୍ୟରେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟଟଙ୍କାଟିଏ ମଧ୍ୟ ମିଳିନଥିବା ବେଳେ ଦାୟିତ୍ୱରେଥିବା ବନପାଳ ଅଞ୍ଜନ ନାୟକଙ୍କୁ ମୂଲ ସଂପର୍କରେ ପଚାରିଲେ ସେ କୌଣସି ପ୍ରକାର ଧରାଛୁଆର୍ ଦେଉ ନାହାନ୍ତିବୋଲି ମଧ୍ୟ ଅଭିଯୋଗ କରିଥିଲେ । ସଂନ୍ଧ୍ୟା ସୁଦ୍ଧା କୌଣସି ପ୍ରକାର ସମାଧାନ ହୋଇପାରିନଥିବା ବେଳେ ପୁଲିସ୍ ମହିଳା ମାନେ ଅଟକ ରଖିଥିବା ଟ୍ରାକ୍ଟର ଓ କାଠ ଓ କାଠ ସରଞ୍ଜାମକୁ ନିଜ ହେପାଜତରେ ରଖିଥିବାର ଜଣାଯାଇଛି । ତେବେ ଏଥିରେ ସଂପୃକ୍ତ ଫରେଷ୍ଟରଙ୍କ ପ୍ରତି ତୁିରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ ସେମାନେ ରାଜ ରାସ୍ତାକୁ ଓଲ୍ଳାଇବେବୋଲି ଚେତାବନି ଦେଇ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠିର କର୍ମକର୍ତ୍ତା , ସଦସ୍ୟ ଓ ସଦସ୍ୟା ଏବଂ ଗ୍ରାମର ଉତ୍ସବ ପ୍ରଧାନ , ଗୋବିନ୍ଦ ପାଇକ , ନରେନ୍ଦ୍ର ପାଇକ, ରବିନ୍ଦ୍ର ପାତ୍ର , ଉଦ୍ଧବ ପ୍ରଧାନୀ , ଗାନ୍ଦୀ ପ୍ରଧାନୀ , ଅଭିମନ୍ୟୁ ପୂଜାରୀ , ବିଭିଷଣ ପାତ୍ର , ବିଶ୍ୱମ୍ବର ପ୍ରଧାନୀ , ବାସୁଦେବ ପ୍ରଧାନୀ , ମମତା ପ୍ରଧାନୀ ଓ ଅନ୍ୟମାନେ । ଏ ସଂପର୍କରେ କୋଟଗଡ଼ ରେଞ୍ଜର ବି.ଡ଼ି.ଜାନୀଙ୍କୁ ପଚାରିବରେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିବା ସହିତ ଏନେଇ ଉଚ୍ଚ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ପ୍ରକାଶ କରିଛନ୍ତି ।