Related Stories
November 23, 2024
ବ୍ରହ୍ମପୁର: ସାଧାରଣତଃ ବ୍ୟବସାୟୀଙ୍କ ପରିବାରରୁ ବୈଜ୍ଞାନିକ ଗବେଷଣା ଆଡକୁ କେହି ମୁହାଁନ୍ତି ନାହିଁ । ପାରିବାରିକ ବ୍ୟବସାୟ ପ୍ରତି ସେମାନେ ଆକର୍ଷିତ ହୁଅନ୍ତି । କିନ୍ତୁ ରଙ୍ଗେଇଲୁଣ୍ଡା ଗ୍ରାମର ଅବିନାଶ ଏହାର ବ୍ୟତିକ୍ରମ । ବିପରିତ ଦିଗରେ ଆଗେଇଯାଇ ଭିନ୍ନ ବୃତ୍ତିକୁ ଅପଣେଇଛନ୍ତି । ବ୍ୟବସାୟୀ ପରିବାରରୁ ହୋଇଥିଲେ ମଧ୍ୟ ଗବେଷଣା ଦିଗରେ ବେଶ୍ ସଫଳତା ହାସଲ କରିଛନ୍ତି । ସିଏସ୍ଆଇଆର୍ ନେଟ୍ରେ ଜେଆର୍ଏଫ୍ ସର୍ବଭାରତୀୟ ର୍ୟାଙ୍କ ୩୨ରେ ରହି କେବଳ ନିଜ ପରିବାର ପାଇଁ ନୁହଁ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜବିହାରସ୍ଥିତ ରଙ୍ଗେଇଲୁଣ୍ଡା ଗ୍ରାମର ଏକ ମଧ୍ୟବିତ୍ ପରିବାରରେ ଅବିନାଶଙ୍କ ଜନ୍ମ । ପିଲାଟି ଦିନରୁ ତୁଳସୀ ଦୁଇପତ୍ରରୁ ବାସିଲା ପରି ଅବିନାଶଙ୍କ ପ୍ରତିଭା ବାରି ହେଉଥିଲା । ତାଙ୍କ ଜେଜେ ଡ.ବ୍ରଜସୁନ୍ଦର ପାଢ଼ୀ ଜଣେ ପ୍ରବୀଣ ସାହିତ୍ୟିକ, ଲେଖକ, ବାଗ୍ମୀ ଓ ସୁଶିକ୍ଷକ ସହ ଓଡ଼ିଶା ହିନ୍ଦୀ ଶିକ୍ଷା ସମିତିର ପ୍ରତିଷ୍ଠାତା ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ । ଅବିନାଶଙ୍କର ବାପା ବିନୋଦ କୁମାର ପାଢ଼ୀ ଜଣେ ବ୍ୟବସାୟୀ ଥାଇ ମଧ୍ୟ ପୁଅର ପାଠପଢ଼ା ପ୍ରତି କୌଣସି ଅବହେଳା କରିନଥିଲେ । ଅବିନାଶଙ୍କ ମା’ ଅନସୂୟା ପାଢ଼ୀ ଜଣେ ସୁଗୃହିଣୀ । ସେ ପୁଅର ସଫଳତା ପାଇଁ ପ୍ରତିଟି କ୍ଷେତ୍ରରେ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ । ଭଞ୍ଜବିହାର ଶିଶୁ ମନ୍ଦିରରୁ ଅବିନାଶଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା । ଭଞ୍ଜବିହାର ହାଇସ୍କୁଲରୁ ୯୩ପ୍ରତିଶତ ରଖି ସେ ଟପ୍ପର ହୋଇଥିଲେ । ବ୍ରହ୍ମପୁର ଖଲ୍ଲିକୋଟ କଲେଜରୁ ଯୁକ୍ତଦୁଇରେ ୮୬ପ୍ରତିଶତ ରଖିଥିଲେ । ସେ କୃତିତ୍ୱ ଅର୍ଜନ କରି ରାଜ୍ୟ ସରକାରଙ୍କ ଠାରୁ ଲାପ୍ଟପ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ତା’ପରେ ସେ ଖଲ୍ଲିକୋଟ କଲେଜରେ ଯୁକ୍ତତିନିରେ କେଭିପିୱାଇ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ଜାମ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଜର୍ କଲିକତାରେ ଇଣ୍ଟିଗ୍ରେଟେଡ୍ ପିଏଚ୍ଡି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହାସହ ବର୍ତ୍ତମାନ ସେ ରସାୟନ ବିଜ୍ଞାନରେ ଗବେଷଣା କରୁଛନ୍ତି । ସିଏସ୍ଆଇଆର୍ ନେଟେରେ ଜେଆର୍ଏଫ୍ ଏୟାର(ସର୍ବଭାରତୀୟ ର୍ୟାଙ୍କ) ୩୨ ର୍ୟାଙ୍କ ରଖିଛନ୍ତି । ତା’ପରେ ସେ ଗବେଷଣା ଆରମ୍ଭ କରି ପିଏମ୍ଆର୍ଏଫ୍ ତରଫରୁ କୃତିତ୍ୱ ଅର୍ଜନ କରିଛନ୍ତି । ମାତ୍ର ୨୫ବର୍ଷ ବୟସରେ ତାଙ୍କର ବଡଧରଣର ସଫଳତା ପଛରେ ପରିବରାର ଆର୍ଶିବାଦ ରହିଥିବା ସେ କହିଛନ୍ତି ।