ଗଞ୍ଜାମ- ବ୍ରହ୍ମପୁର ମହାନଗର ନିଗମର ଅଫିସ୍ ଆସିଷ୍ଟାଂଟ ଏ. ଲକ୍ଷ୍ମୀପ୍ରସାଦ ରାଓ ବିଏମସି ପକ୍ଷରୁ ଲିଜ୍ ଓ ଭଡ଼ା ସୂତ୍ରରେ ଦିଆଯାଇଥିବା ଏକ ଦୋକାନ ଗୃହର ମାଲିକାନା ସତ୍ୱ ବଦଳାଇବା ନିମନ୍ତେ ଜଣେ ହୋଟେଲ ମାଲିକଙ୍କ ଠାରୁ ୨୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଗତକାଲି ଭିଜିଲାନ୍ସ ଜାଲରେ ପଡିଥିଲେ । ବିଭାଗୀୟ ଅଧିକାରୀମାନେ ତାଙ୍କ ନିକଟରୁ ଏହି ଟଙ୍କା ଜବତ କରିବା ସହ ଘଟଣାରେ ତାଙ୍କୁ ଗିରଫ କରିଥିଲେ । ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ, ବ୍ରହ୍ମପୁର ସ୍ଥିତ ପିଢ଼ା ହୋଟେଲ ସମ୍ପ୍ରତି ବିଏମସି ପକ୍ଷରୁ ନିର୍ମିତ ଦୋକାନ ଘରେ ଚାଲିଛି । ଦୋକାନ ଗୃହର ମାଲିକାନା ସତ୍ୱ ବାଳକୃଷ୍ଣ ସାହୁଙ୍କ ନାମରେ ରହିଛି । ବାଳକୃଷ୍ଣଙ୍କ ପୁଅ ନୀଳାଚଂଳ ସାହୁ ମାଲିକାନା ସତ୍ୱ ନିଜ ନାମକୁ ପରିବର୍ତନ କରିବା ନିମନ୍ତେ ବିଏମସିର ଅଫିସ୍ ଆସିଷ୍ଟାଂଟ ଲକ୍ଷ୍ମୀପ୍ରସାଦଙ୍କ ସହିତ ଯୋଗାଯୋଗ କରିଥିଲେ । ତେବେ ଲକ୍ଷ୍ମୀପ୍ରସାଦ ଏହି କାମ କରାଇଦେବା ନିମନ୍ତେ ୩୦ ହଜାର ଟଙ୍କା ଉକ୍ରୋଚ ଦାବି କରିଥିଲେ । ପରେ ମୂଲଚାଲ ପରେ ୨୫ ହଜାର ଦେବାକୁ ସ୍ଥିର ହୋଇଥିଲା । ଏନେଇ ନୀଳାଚଂଳ ପୂର୍ବରୁ ଭିଜିଲାନ୍ସକୁ ଅବଗତ କରିଥିଲେ । ଫଳରେ ଗତକାଲି ସେ ଲାଂଚ ବାବଦ ଟଙ୍କା ଗ୍ରହଣ କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ତାଙ୍କୁ କାବୁ କରି ନେଇଥିଲେ । ତାଙ୍କ ନିକଟରୁ ଏହି ଟଙ୍କା ଜବତ କରାଯିବା ସହ ଘଟଣାରେ ତାଙ୍କୁ ଗିରଫ କରାଯାଇଥିଲା । ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି । ଏ ସଂକ୍ରାନ୍ତରେ ଭିଜିଲାନ୍ସ ପକ୍ଷରୁ ୨୭/୧୯ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରୀ ରହିଛି । ଏତଦ୍ ବ୍ୟତୀତ ଲକ୍ଷ୍ମୀପ୍ରସାଦଙ୍କ ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟ ଏବଂ ପୁରୁଷୋତମପୁର ଥାନା ଅନ୍ତର୍ଗତ କୁଲାରସିଂହ ସ୍ଥିତ ପୈତୃକ ବାସଭବନ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଲକ୍ଷ୍ମୀପ୍ରସାଦ ବିଏମସିରେ ସିନିୟର୍ ଆସିଷ୍ଟାଂଟ ଭାବେ କାର୍ଯ୍ୟ କରୁଥିଲେ । ଗତ ୨୦୧୮ ମାର୍ଚ୍ଚ ୩୧ ରେ ସେ ଅବସର ଗ୍ରହଣ କରିଥିଲେ । ପରେ ଗତ ୨୦୧୯ ଅପ୍ରେଲ ୩ ତାରିଖ ଠାରୁ ତାଙ୍କୁ ବିଏମସି ପକ୍ଷରୁ ଅଫିସ୍ ଆସିଷ୍ଟାଂଟ ଭାବେ ନିଯୁକ୍ତି ଦିଆଯାଇଥିଲା ।
Related Stories
November 25, 2024