
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଶନିବାର ଅଶ୍ଵିନ ଶୁକ୍ଳ ପକ୍ଷ ପୂର୍ଣିମା ତିଥି ଦିନ ଶ୍ରୀଜଗନ୍ନାଥ ମନ୍ଦିରରେ କୁମାର ପୂର୍ଣିମା ଏବଂ ଶ୍ରୀ ସୁଦର୍ଶନ ଦେବ ଙ୍କ ଆଶ୍ରମ ବିଜେ ନୀତି ଏବଂ ଦ୍ୟୁତ କ୍ରୀଡା ନୀତି ଅନୁଷ୍ଠିତ ହୋଇଅଛି ।ଆଜି ପ୍ରାତଃ ଘ. ୫.୧୦ ସମୟରେ ଦ୍ୱାର ଫିଟା ହୋଇ ଅନ୍ୟାନ୍ୟ ନୀତି ପରେ ସକାଳଧୂପ ଦିବା ଘ.୯.୩୦ ରୁ ଘ.୧୦.୩୦ ରେ ଓ ବାଳ ଧୂପ ଦିବା ଘ.୧୧.୩୦ ରେ ଶେଷ ହୋଇଥିଲା ।ମଧ୍ୟାହ୍ନ ଧୂପ ଘ.୨.୩୫ ରେ ଶେଷ ହେବା ପରେ ରତ୍ନସିଂହାସନ ରୁ ଯାଇ ଶ୍ରୀ ଦେବୀ ଏବଂ ଭୂଦେବୀ ଖଟ ଶେଜ ଘରେ ବିଜେ ହୋଇଥିଲେ । ଆଜ୍ଞାମାଳ ପ୍ରାପ୍ତି ପରେ ଶ୍ରୀସୁଦର୍ଶନ ଦେବଙ୍କୁ ପାଳିଆ ଦଇତାପତି ସେବକମାନେ ରତ୍ନସିଂହାସନ ରୁ ଜଗମୋହନ କୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଚଉ ଦୋଳରେ ବିଜେ ହୋଇଥିଲେ । ସେଠାରେ ରୁନ୍ଧା ସହ , ପାଟ ପତନି ଲାଗି ପରେ ଚଉ ଦୋଳ ସହ ଝୁଲଣ ମଣ୍ଡପ ନିକଟରେ ବିଜେ ହୋଇ, ସେଠାରେ ଅଳଙ୍କାର ଲାଗି ହେବାପରେ ମୁଖ୍ୟ ମନ୍ଦିରକୁ ବେଢାଏ ପରିକ୍ରମା କରି, ଘଣ୍ଟ ,ଛାତା,କାହାଳୀ ସହ ବଡଦାଣ୍ଡକୁ ଅପରାହ୍ନ ଘ.୪.୪୦ ରେ ବିଜେ ହୋଇ ଛୋଟ ରାୟପୁର ହାଟ ଦେଇ (ଶ୍ରୀନଅର.. ଦ୍ୱାର) ଉତ୍ତର ପାଟଣା ବାଟେ (ମରଚି କୋଟ ଗଳି ନିକଟ ) ଉଗ୍ରସେନ ଙ୍କ ଆଶ୍ରମ (ଜମ୍ବେଶ୍ୱରଙ୍କ ) ଜହ୍ନି ମୁଣ୍ଡିଆ ଠାରେ ଚଉ- ଦୋଳ ସହ ବିଜେ ହୋଇ ସେଠାରେ ଭାଗ, ବନ୍ଦାପନା ବଢିଲା ପରେ ,ପ୍ରତ୍ୟାବର୍ତନ କରି ପଶ୍ଚିମ ଦ୍ୱାର ଚକଡ଼ାରେ ବିଜେ ହୋଇ ରହିଥିଲେ ।ସେଠାରେ ପତି ମହାପାତ୍ର ପ୍ରସାଦ ଲାଗି ଓ ବନ୍ଦାପନା କରିବା ପରେ, ଜଗମୋହନ ଭିତରକୁ ଜୟ ବିଜୟ ଦ୍ୱାର ଠାରେ ବିଜେ ହେବା ପରେ, ଦଇତା ସେବକ ରୁନ୍ଧା ଫିଟାଇ ଚଉ ଦୋଳରୁ ରତ୍ନ- ସିଂହାସନ କୁ ବିଜେ କଲାପରେ,ଚାରି ବାଡ଼ ରେ ମହାସ୍ନାନ, ଘଣ୍ଟ ଛତା ସର୍ବାଙ୍ଗ ଓ ନୂଆ ଲୁଗା ଲାଗି ବେଶ ସମ୍ପୂର୍ଣ୍ଣ ହୋଇ, ସଂଧ୍ୟା ଆଳତୀ ଓ ସନ୍ଧ୍ୟା ଧୂପ ଶେଷ ହେବା ପରେ ଦକ୍ଷିଣ ଘରୁ ମଦନମୋହନ ସିଂହାସନ ନିକଟକୁ ବିଜେ କରି ଆଜ୍ଞାମାଳ ପ୍ରାପ୍ତ ହେବା ପରେ ଶ୍ରୀଦେବୀ ମହାଜନ ସେବକଙ୍କ ହାତରେ ବିଜେ ହୋଇ ସାତ – ପାହାଚ ନିକଟରେ ପ୍ରସ୍ତୁତ ହୋଇ ରହିଥିବା ପାଲିଙ୍କିରେ ବିଜେ କରି ବାହାର କୁଆଁର ନିମନ୍ତେ ମହାଲଷ୍ମୀ ମନ୍ଦିର ଜଗମୋହନ ରେ ଖଟ ଉପରେ ବିଜେ ହୋଇ,ସେଠାରେ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ଏବଂ ମହାଲଷ୍ମୀ ଙ୍କ ପ୍ରତିନିଧି ଭାବେ ଭିତରଚ୍ଛ ମହାପାତ୍ର ଉଭୟେ ହିଙ୍ଗୁଳ କଉଡ଼ି -୨୧, ରୂପା କଉଡ଼ି -୨୧,ପଶା, ଶକଟା ଖେଳ ମାନ ଖେଳିଥିଲେ । ଏହାପରେ ଛାମୁରେ ପାଣି ପଡି ଶୀତଳ ଭୋଗ ମଣୋହି ହୋଇ ଶ୍ରୀଦେବୀ ରତ୍ନ – ସିଂହାସନକୁ ଏବଂ ମଦନମୋହନ ଦକ୍ଷିଣ ଘରକୁ ବିଜେ କରିଥିଲେ । ଏହାପରେ ଚନ୍ଦନଲାଗି,ବଡ଼ସିଂହାର ବେଶ , ଭୋଗ ଓ ପନ୍ତି ସରିବାପରେ ସିଂହାସନ ତଳେ ଏବଂ ଉପରେ ପୂଜାପଣ୍ଡା, ପତିମହାପାତ୍ର, ଏବଂ ମୁଦିରସ୍ତ ସେବକ ପଶା, ଶକଟା, ଓ କଉଡ଼ି ଇତ୍ୟାଦି ରଖିଥାନ୍ତି , ଏହି ଖେଳରେ ମହାପ୍ରଭୁ ହାରି ଯିବାରୁ ପରମ୍ପରା ଅନୁଯାୟୀ ରତ୍ନସିଂହାସନସ୍ଥ “ନୀଳ ମାଧବ” ମହାଜନ ସେବକ ହାତରେ ବିଜେ କରାଇ ମହଲଷ୍ମୀଙ୍କ ମନ୍ଦିରରେ ବିଜେ କରିଲେ । (ଅର୍ଥାତ ମା’ ଙ୍କ ପାଖରେ- ବନ୍ଧା ପଡ଼ିଥାନ୍ତି) ୮ ଦିନ ଶ୍ରୀମନ୍ଦିରରେ ଅବକାଶ ପୂଜାର ଅବ୍ୟବହିତ ପୂର୍ବରୁ ‘ନୀଳମାଧବ’ ରତ୍ନସିଂହାସନ କୁ ପ୍ରତ୍ୟାବର୍ତନ କରିଥିଲେ | ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସୂଚନା ପ୍ରାପ୍ତି ହୋଇଛି |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO