ମାଲକାନଗିରି- କିଛି ଦିନର ବିରତି ପରେ ପୁଣି ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳବାସୀ ଦେଇଛନ୍ତି କଡା ଚେତାବନୀ । ପୋଷ୍ଟର ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳର ବିପ୍ଳବୀ ଚାଷୀ ମୂଲିଆ ସଂଗଠନ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି । ବାଲିମେଳା ଜଳଭଣ୍ଡାରରେ ସର୍ବୋଚ୍ଚ ସ୍ତରରେ ଜଳସ୍ତର ପହଞ୍ଚି ସାରିଛି । ଫଳରେ ଫସଲ ଆଦି ନଷ୍ଟ ହେବାକୁ ବସିଲାଣି । ତେଣୁ ତୁରନ୍ତ ଜଳସ୍ତର ହ୍ରାସ କରିବା ପାଇଁ ଏଠାକାର ଚାଷୀ ଦାବି କରିଛନ୍ତି ଗତବର୍ଷ ମଧ୍ୟ ଡ୍ୟାମରେ ଏପରି ଜଳସ୍ତର ବୃଦ୍ଧି ପାଇଥିବାରୁ ଅଞ୍ଚଳବାସୀଙ୍କ ଫସଲ ଯଥା ଧାନ, ମାଣ୍ଡିଆ, ସୁଆଁ, ବିରି ଓ ମୁଗ ଆଦି ନଷ୍ଟ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଏପରି ଅବସ୍ଥା ସୃଷ୍ଟି ହେବାରୁ ତେଜିଛି ଚାଷୀଙ୍କ ଅସନ୍ତୋଷ । ଏଥିପାଇଁ ଆଦିବାସୀ ଚାଷୀ ବାରମ୍ବାର କ୍ଷତିଗ୍ରସ୍ତ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସହାୟତା ଦିଆ ଯାଉନଥିବା ଅଭିଯୋଗ ହୋଇଛି । ତୁରନ୍ତ ବାଲିମେଳା ଡ୍ୟାମର ଜଳସ୍ତର ହ୍ରାସ ନକଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛି ଚାଷୀ ସଂଗଠନ ।