-
ଗଂଜାମ ଏସପିଙ୍କ ସମେତ ପୁଲିସ କର୍ମଚାରୀ ମାନେ ଦୌଡିଲେ
Related Stories
November 23, 2024
ଛତ୍ରପୁର: ଜିଲ୍ଲାରେ ପୁଲିସ ସହିଦ ସପ୍ତାହ ପାଳନ ଅବସରରେ ସହିଦ ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଓ ସେମାନଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଗଂଜାମ ପୁଲିସ ଜିଲ୍ଲା ପକ୍ଷରୁ ଚଳିତ ମାସ ୨୧ ତାରିଖ ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସହିଦ ପୁଲିସ କର୍ମଚାରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କାରଯାଉଛି । ଏହାସହ ପୁଲିସ ଅଧିକାରୀ ମାନେ ସହିଦ ପୁଲିସ କର୍ମଚାରୀଙ୍କ ଘରକୁ ଯାଇ ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ମଧ୍ୟ ଜଣାଉଛନ୍ତି । ଏହି ଅବସରରେ ଶୁକ୍ରବାର ଛତ୍ରପୁର ଠାରେ ଗଂଜାମ ପୁଲିସ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୁଲିସ ପଡିଆ ଠାରେ ପୁଲିସ ଫ୍ଲାଗ ଡେ ପାଳନ କରିଛି । ସହିଦ ମାନଙ୍କୁ ମନେରଖିବା ନିମନ୍ତେ ଏକ ଗଣ ଦୈାଡ (ୟୁନିଟି ରନ୍) ଅନୁଷ୍ଠିତ ହୋଇଯାଇଛି । ଏହାକୁ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଖୋଦ୍ ଏହି ଦୈାଡରେ ଅଂଶ ଗ୍ରହଣ କରିଥିଲେ । ଏହି ଦୈାଡ ଛତ୍ରପୁର ସହର ପରିକ୍ରମା କରି ପୁଲିସ ମୁଖ୍ୟାଳୟ କାର୍ଯ୍ୟାଳୟ ଦେଇ ପୁଣି ପଡିଆ ନିକଟରେ ପହଞ୍ଚିଥିଲା । ଏହି ଦୈାଡରେ ଗଂଜାମ ଏସପି ଶ୍ରୀ ରାଏ, ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଓ ବିଜୟ କୁମାର ମଲ୍ଲିକ, ଡିଏସପି ଉତ୍କଳ କେଶର ଦାଶ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସରଂଜନ ମହାନ୍ତି, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ଗଂଜାମ ପୁଲିସ କନଷ୍ଟେବଲ ଓ ହାବିଲଦାର ସଂଘର ସଭାପତି ଗୋରାଚାନ୍ଦ ତ୍ରିପାଠୀ, ସଂପାଦକ ବ୍ରଜମୋହନ ଜେନା, ଏ.ରାବଣା ରାଓଙ୍କ ସମେତ ବହୁ ପୁଲିସ କର୍ମଚାରୀ ମାନେ ସାମିଲ ଥିଲେ । ଏହାସହ ପାଇପ ବ୍ୟାଣ୍ଡ ସୋ ଅନୁଷ୍ଠିତ ହୋଇଥିଲା । ସହିଦ ପୁଲିସ କର୍ମଚାରୀଙ୍କ ସେବା ଓ କର୍ତ୍ତବ୍ୟ ସର୍ବଦା ଅତୁଳନୀୟ ଅଟେ ବୋଲି ମଧ୍ୟ ଗଂଜାମ ଏସପି କହିଥିଲେ । ଏହାସହ ସହିଦ ପୁଲିସ ପରିବାର ମାନଙ୍କ ସହ ସବୁ ବେଳେ ଗଂଜାମ ପୁଲିସ ରହିଛି ।