-
୩୩ଲକ୍ଷ ୬୧ହଜାର ଜବତ: ଦୁବାଇ, ମୁମ୍ବାଇ ପର୍ଯ୍ୟନ୍ତ ଲିଙ୍କ୍
-
ପୁଲିସ୍ର ଖୋଳତାଡ ଜାରି
ବ୍ରହ୍ମପୁର: ଦୀର୍ଘବର୍ଷଧରି ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାରେ କ୍ରିକେଟ୍ ବ୍ୟାଟିଂ କାରବାର କରୁଥିବା ୨ କିଙ୍ଗପିନ୍କୁ ଗିରଫ କରିବାରେ ପୁଲିସ୍ ସଫଳ ହେବାସହ ଚଳିତ ବର୍ଷ ଆଇପିଏଲ୍ ବ୍ୟାଟିଂ କାରବାରରେ ରୋକ ଲଗାଇବାରେ ସଫଳ ହୋଇଛି । ପୁଲିସ୍ ଏହି ର୍ୟାକେଟ୍ ଚଳାଉଥିବା ୨ଜଣ ମୁଖ୍ୟଙ୍କୁ ଗିରଫ କରିବାପରେ ତାଙ୍କର ସହଯୋଗୀମାନେ ଏବେ ସହର ଛାଡି ଫେରାର ହୋଇଯାଇଛନ୍ତି । ଗିରଫ ୨ଜଣ ହେଲେ ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ଗଣେଶନଗର ତୃତୀୟ ଲାଇନ୍ର ଆର୍.ଲାଲି ଆଚାରୀ(୫୦) ଓ ଗାନ୍ଧୀନଗର ସାଇ କମ୍ପେ୍ଲକ୍ସର କେ.ପ୍ରଶାନ୍ତ କୁମାର ସୁବୁଦ୍ଧି(୪୩) ବୋଲି ସ୍ଥାନୀୟ ପୁଲିସ୍ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି । ଗିରଫ ୨ଜଣଙ୍କ ଠାରୁ ୩୩ଲକ୍ଷ ୬୧ହଜାର ୨୦୦ଟଙ୍କା, ୪ଟି ମୋବାଇଲ ଫୋନ୍ ଏବଂ ୩ଟି ଏଟିଏମ୍ କାର୍ଡ ଜବତ କରାଯାଇଛି । ଏହି ର୍ୟାକେଟ୍ରେ ସଂଶ୍ଲିଷ୍ଟ ଥିବା ସହରର କିଛି ଜଣାଶୁଣା ବ୍ୟବସାୟୀ ଫେରାର ହୋଇଯାଇଥିବା ଜଣାପଡିଛି । ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ପୁଲିସ୍ ଟିମ୍ ଗଠନକରି ଛାନଭିନ୍ ଆରମ୍ଭ କରାଯାଇଥିବା ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଆଇପିଏଲ୍ କ୍ରିକେଟ୍ ଆରମ୍ଭ ହେବାପର ଠାରୁ ୨୦୧୦ମସିହାରୁ ଅନ୍ଲାଇନ୍ ବ୍ୟାଟିଂ ଆରମ୍ଭ ହୋଇଥିଲା । ବ୍ରହ୍ମପୁରରେ ପୂର୍ବରୁ ଏଭଳି ବହୁ ବ୍ୟାଟିଂ କାରବାରର ପର୍ଦ୍ଦାଫାଶ ହୋଇଥିଲା । ବ୍ରହ୍ମପୁରରେ ଏହି କାରବାର ଚାଲୁଥିବା ଜାଣିପାରି ଏସ୍ପିଙ୍କ ନେତୃତ୍ୱରେ ପୁଲିସ୍ ଟିମ୍ ଏମାନଙ୍କ କାରବାର ଉପରେ ନଜର ରଖିଥିଲା । ଗୋଷାଣୀନୂଆଗାଁ, ବଡବଜାର ଓ ଟାଉନ୍ ଥାନା ଇଲାକାରେ ଏହି କାରବାର ଚାଲିଥିବା ନେଇ ପୁଲିସ୍କୁ ସୂଚନା ମିଳିଥିଲେ ମଧ୍ୟ ଅନ୍ଲାଇନ୍ରେ ଏହି କାରବାର ହେଉଥିବାରୁ ପୁଲିସ୍କୁ ତଦନ୍ତରେ ବାଧା ଉପୁଜିଥିଲା । ଶେଷରେ ବ୍ରହ୍ମପୁର ପୁଲିସ୍ ଏକ ବଡଧରଣର ସଫଳତା ହାସଲକରି ସହରର କିଙ୍ଗପିନ୍ ବୁକିଂ ଲାଲି ଓ ପ୍ରଶାନ୍ତଙ୍କୁ ଗିରଫ କରିବାପରେ ଅନ୍ଲାଇନ୍ ବ୍ୟାଟିଂ କାରବାର କରି ଜିଲ୍ଲା ସହିତ ବିଭିନ୍ନ ଅଞ୍ଚଳରେ ତାଙ୍କର ଏଜେଣ୍ଟ ରଖିଥିଲେ । ସେହି ଏଜେଣ୍ଟଙ୍କ ଜରିଆରେ ଅନ୍ଲାଇନ୍ରେ ବିଭିନ୍ନ ପ୍ରକାର ୱେବସାଇଟ୍ରେ କ୍ରିକେଟ୍ ମ୍ୟାଚ୍ରେ ଟଙ୍କା ଲଗାଉଥିଲେ । ଏମିତିକି ହାର ଜିତ ସହିତ ପ୍ରତ୍ୟେକ ବଲ୍ରେ ମଧ୍ୟ ଟଙ୍କା ବାଜି ଲାଗୁଥିଲା ବୋଲି ତାଙ୍କୁ ଜେରାପରେ ପୁଲିସ୍ ସୂଚନା ପାଇଥିବା ଏସ୍ପି ଶ୍ରୀ ମିଶ୍ର କହିଛନ୍ତି । ପ୍ରାୟ ୮ରୁ ୧୦ବର୍ଷ ହେବ ଏହି ଗିରଫ ୨ କିଙ୍ଗପିନ୍ ଏଭଳି କାରବାର ଜାରି ରଖିଥିବା ବେଳେ ସୁଦୁର ଦୁବାଇ ଓ ମୁମ୍ବାଇ, ଦିଲ୍ଲୀ, ରାଜସ୍ଥାନ, କଲିକତାରେ ରହୁଥିବା ବଡ ବଡ ବୁକିଂ ସହିତ ଏମାନଙ୍କ ଲିଙ୍କ୍ ରହିଥିବା ନେଇ ଡିଆଇଜି ସୂଚନା ଦେଇଛନ୍ତି । ତେବେ ଏମାନଙ୍କ ଲିଙ୍କ୍ରେ ଆଉ କେଉଁମାନେ ରହିଛନ୍ତି ସେମାନଙ୍କୁ ଖୋଜି ବାହାର କରିବାକୁ ପୁଲିସ୍ ଉଦ୍ୟମ ଆରମ୍ଭ କରିଥିବା ଜଣାଯାଇଛି । ଘଟଣାକୁ ନେଇ ଗୋଷାଣୀନୂଆଗାଁ ଥାନା କେଶ୍ ନମ୍ବର ୧୪୧/୨୦ରେ ମାମଲା ରୁଜୁକରି ଉଭୟଙ୍କୁ ଶୁୂକ୍ରବାର କୋର୍ଟଚାଲାଣ କରାଯାଇଛି । ଏସ୍ପି ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଅତିରିକ୍ତ ଏସ୍ପି ପ୍ରଭାତ ରାଉତରାୟ, ଟାଉନ୍ ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ, ଗୋଷାଣୀନୂଆଗାଁ ଥାନାଧିକାରୀ ସୁମିତ ସୋରେନ, ବୈଦ୍ୟନାଥପୁର ଥାନାଧିକାରୀ ସାରଦାପ୍ରସାଦ ଦାସ ଏହି ର୍ୟାକେଟ୍ ଠାବ କରିବାରେ ସଫଳ ହୋଇଥିବା ଯୋଗୁ ଏସ୍ପି ଓ ତାଙ୍କ ଟିମ୍ଙ୍କୁ ସାଧୁବାଦ ଦେଇଛନ୍ତି ଡିଆଇଜି ଶ୍ରୀ ଭୋଇ । ସୂଚନାଥାଉକି, ଗିରଫ ଲାଲି ଆଚାରୀ ବଡ ବଜାର ଅଞ୍ଚଳରେ ଏକ ସୁନା ବ୍ୟବସାୟ କରିଥିବା ବେଳେ ଗିରଫ ପ୍ରଶାନ୍ତ ମଧ୍ୟ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ସଂଶ୍ଲିଷ୍ଟ ଥିବା ପୁଲିସ୍ ଜାଣିବାକୁ ପାଇଛି ।