

ଏଥି ପୂର୍ବରୁ ୨୨ ତାରିଖ ମଧ୍ୟରାତ୍ରରୁ ଭବାନୀପାଟଣା ପୌରାଚଂଳ ପରିସର ଅଂଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରୀ କରାଯାଇଛି । ଏହି କଟକଣା ଆସନ୍ତା କାଲି ଅର୍ଥାତ୍ ୨୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତର ରହିବ । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ୧୨ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୪୦ ଟି ସ୍ଥାନରେ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି ।
କରୋନା ସଂକ୍ରମଣକୁ ଏଡାଇବା ପାଇଁ ଦୁର୍ଗା ପୂଜା ଓ ପ୍ରସିଦ୍ଧ ଛତର ଯାତ୍ରାରେ ଭକ୍ତ ସମାଗମ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ଏଭଳି କଠୋର ପଦକ୍ଷେପ ନେଇଛି । ପୂର୍ବରୁ କଳାହାଣ୍ଡି ଜିଲ୍ଲା ପାଇଁ ଏଭଳି ଗାଇଡ୍ ଲାଇନ୍ ଜାରୀ କରିଛନ୍ତି ଜିଲ୍ଲାପାଳ ଡଃ. ଗାଭାଲି ପରାଗ ହର୍ଷଦ । କରୋନା ସଂକ୍ରମଣକୁ ଏଡାଇବା ପାଇଁ ଯାତ୍ରାକୁ ନଆସିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ଜିଲ୍ଲାପାଳ । ସାମାଜିକ ଗଣମାଧ୍ୟମ ଓ ନ୍ୟୁଜ୍ ଚ୍ୟାନେଲରେ ଏହାର ପ୍ରସାରଣ ଦେଖିବାକୁ ସେ ଜନସାଧାରଣଙ୍କୁ ଅପିଲ୍ କରିଥିଲେ ।
ଅନ୍ୟପକ୍ଷରେ ପ୍ରଶାସନର ଏଭଳି କଟକଣା ଯୋଗୁଁ ଶ୍ରଦ୍ଧାଳୁ ମାନେ ମାଙ୍କ ଏହି ନିଆରା ଯାତ୍ରାରେ ସାମିଲ୍ ହେବାରୁ ବଂଚିତ ରହିଛନ୍ତି । ତେବେ ସମସ୍ତ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜା କାର୍ଯ୍ୟ ଆଜି ସକାଳ ୬ଟା ସୁଦ୍ଧା ସମ୍ପନ୍ନ ହୋଇଛି । ଜେନାଖାଲ ଠାରେ ଗୁପ୍ତ ପୂଜା ପରେ ଭୋର୍ ୫ଟାରେ ଏହି ଛତର ମା ମାଣିକେଶ୍ୱରୀଙ୍କ ମନ୍ଦିର ଅଭିମୁଖେ ବାହାରି ଥିଲା । ପ୍ରଶାସନିକ ନିଷ୍ପତି ପ୍ରକାରେ ଯାତ୍ରାରେ କେବଳ ଗୋଟିଏ ବାଜା ଓ ଗୋଟିଏ ଘୁମୁରା ଦଳ ସାମିଲ୍ ହୋଇଥିଲେ ।