Related Stories
November 22, 2024
ବ୍ରହ୍ମପୁର: ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନୁମୋଦନକ୍ରମେ ଗଞ୍ଜାମ ଜିଲ୍ଲା କଂଗ୍ରେସର ସଭାପତି ରୂପେ ଜିଲ୍ଲାର ଟାଣୁଆ ନେତା ତଥା ସାନଖେମୁଣ୍ଡିର ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ମନୋନୀତ କରାଯାଇଛି । ରମେଶଙ୍କୁ ଦାୟୀତ୍ୱ ମିଳିବା ଖବର ଶୁଣି ଜିଲ୍ଲାର କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଖୁସିର ମହଲ ଖେଳିଯାଇଛି । ଏହି ଘୋଷଣାପରେ ଜିଲ୍ଲା କଂଗ୍ରେସ ସୁଦୃଢ଼ ହେବାସହ ନିଜର କାର୍ଯ୍ୟଶୈଳୀ ସଙ୍ଗଠନକୁ ସୁଦୃଢ଼ କରିବ । ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଦକ୍ଷ ଯୁବନେତା ଓ ବରିଷ୍ଠ ନେତାଙ୍କ ପରାମର୍ଶରେ ଗଞ୍ଜାମ ଜିଲ୍ଳାରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ମୋର ମୂଳଲକ୍ଷ୍ୟ ରହିବ ବୋଲି ବିଧାୟକ ଶ୍ରୀ ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି । ଦୀର୍ଘଦିନଧରି ଜିଲ୍ଲା କଂଗ୍ରେସ ସଭାପତି ପଦ ଖାଲି ଥିବାବେଳେ ତୃଣମୂଳସ୍ତରରୁ ଯଥା କର୍ମୀ ଠାରୁ ନେତାଯାଏଁ ବିଧାୟକ ଶ୍ରୀ ଜେନାଙ୍କୁ ଜିଲ୍ଲା ସଭାପତି କରିବା ପାଇଁ ପିସିସି ଓ ଏଆଇସିସିକୁ ଅବଗତ କରାଇଥିଲେ । ଦଳୀୟ କର୍ମୀଙ୍କ ଠାରୁ ମତାମତ ନେବାପରେ କଂଗ୍ରେସ ସୁପ୍ରିମୋ ଶ୍ରୀ ଜେନାଙ୍କୁ ଜିଲ୍ଲା କଂଗ୍ରେସର ସଭାପତି ରୂପେ ଅବସ୍ଥାପିତ କରିଛନ୍ତି । ପୂର୍ବ ତୁଳନାରେ ବର୍ତ୍ତମାନ ଜିଲ୍ଲା କଂଗ୍ରେସରେ ପରିବର୍ତ୍ତନ ନିଶ୍ଚିତ ହେବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିବା ସହ ରାଜ୍ୟସ୍ତରୀୟ ନେତାଙ୍କ ପରାମର୍ଶ ଓ ନିର୍ଦ୍ଦେଶରେ ଜିଲ୍ଲାର ୨୨ଟି ବ୍ଲକ୍ରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ଦଳୀୟ କର୍ମୀଙ୍କୁ ନେଇ ୨୪ଘଣ୍ଟିଆ କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି । ଜିଲ୍ଲା ସଭାପତି ରୂପେ ମନୋନୀତ ହେବାପରେ ପିସିସି ସଭାପତିଙ୍କ ଠାରୁ ଆରମ୍ଭକରି ରାଜ୍ୟର ବହୁ ବରିଷ୍ଠ ନେତା, ଗଞ୍ଜାମ ଜିଲ୍ଲାର ସମସ୍ତ ବରିଷ୍ଠ ନେତା ଓ କର୍ମୀଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।