ଭୁବନେଶ୍ୱର-ବିଦ୍ୟୁତ୍ ନିୟାମକ ଆୟୋଗ ଅନ୍ୟାୟ ଭାବେ ଅକ୍ଟୋବର ୧ତାରିଖରୁ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିବା ପଛରେ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ ବୋଲି କହିଛନ୍ତି ସିପିଆଇ (ଏମଏଲ)ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ।
ସେ କହିଛନ୍ତି ଯେ ଗୋଟିଏ ଜନମଙ୍ଗଳ ରାଜ୍ୟରେ ଜନଗଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଏ । ହେଲେ ବିଦ୍ୟୁତ୍ ନିୟାମକ ଆୟୋଗ ଓ ସରକାରଙ୍କ ସଲାସୁତୁରାରେ ଜନଗଣଙ୍କୁ ଲୁଟ୍ କରିବାକୁ ଏହା ଏକ ଷଡ଼ଯନ୍ତ୍ର ମାତ୍ର । ବିଦ୍ୟୁତ୍ ଉତ୍ପାଦନ ଓ ବଣ୍ଟନରେ କ୍ଷତିକୁ ଦର୍ଶାଇ ଏଭଳି ନିଷ୍ପତ୍ତି ନିଆଯାଇଛି, ଯାହା ଅସତ୍ୟ ଓ ମିଥ୍ୟା । କୌଣସି ନିର୍ଭରଯୋଗ୍ୟ ଅନୁଷ୍ଠାନ ଦ୍ୱାରା ଏହି ଆକଳନ କରାଯାଇନାହିଁ । ପୁନଶ୍ଚ ଓଡ଼ିଶାରେ ବଡ଼ ବଡ଼ କମ୍ପାନୀ ଉପରେ ହଜାର ହଜାର କୋଟି ଟଙ୍କା ବିଦ୍ୟୁତ୍ ଦେୟ ବାକି ପଡ଼ିଥିବା ବେଳେ ତାହା ଆଦାୟ ନ କରିବା ପଛର କାରଣ କ’ଣ ସରକାର ଲୋକଙ୍କୁ କହିବା ଦରକାର । ଯେତେବେଳେ ଲୋକେ କରୋନା ମହାମାରୀ ଯୋଗୁଁ ରୋଜଗାର ହରାଇ ଆର୍ଥିକ ଅନାଟନ ଭିତରେ ଷଢୁଛନ୍ତି, ସେତେବେଳେ ବିଜୁଳି ଦରବୃଦ୍ଧିକୁ ଅମେ ଘୋର ବିରୋଧ କରୁଛୁ ବୋଲି ସେ କହିଛନ୍ତି ।