
ଓଡିଶା ସରକାରଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ନୂତନ ଭାବେ ମନ୍ଦିର ପରିଚାଳନା ଟ୍ରଷ୍ଟ ଗଠନ କରାଯାଇଛି । ଏକବର୍ଷ ସକାଶେ ଗଠନ କରାଯାଇଥିବା ଏହି ସାତ ଜଣିଆ ଟ୍ରଷ୍ଚ ବୋର୍ଡରେ ଗଞ୍ଜାମ ଜିଲ୍ଲାପାଳ ଟ୍ରଷ୍ଟି, ଆରକ୍ଷୀ ଅଧୀକ୍ଷକ ଗଞ୍ଜାମ, ଛତ୍ରପୁର ଉପଜିଲ୍ଲାପାଳ, ସୁପରିନଟେଣ୍ଡେଣ୍ଟ ଇଞ୍ଜିନିୟର୍, ପି.ଡବ୍ଲ୍ୟୁ.ଡି. ବ୍ରହ୍ମପୁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମପୁର, ତହସିଲଦାର ପୁରୁଷୋତ୍ତମପୁର ଏବଂ ପ୍ରମୋଦ କୁମାର ପଣ୍ଡାଙ୍କୁ କମିଟିର ପ୍ରଥମ ବୈଠକ ହେତୁ ସେବାୟତ ମାନଙ୍କ ତରଫରୁ ସ୍ବାଗତ କରାଯାଇଥିଲା । ମନ୍ଦିରର ଉନ୍ନତି କରଣ ସକାଶେ ଯେଉଁ ସବୁ କାର୍ଯ୍ୟ ଚାଲିଛି ତାହା ତୁରନ୍ତ ସମାପନ କରିବା ସକାଶେ ଜିଲ୍ଲାପାଳ କମିଟିର ସଦସ୍ୟ ମାନଙ୍କୁ ଅବଗତ କରାଇ ଆସନ୍ତା ମାଘ ମାସରେ ନବନିର୍ମାଣ ମନ୍ଦିରର ପ୍ରତିଷ୍ଠା ଯେମିତି ହେବ ସେ ଦିଗରେ ପଦକ୍ଷେପ ନେବାକୁ ଜଣାଇଥିଲେ । ପର୍ଯ୍ୟଟନ ବିଭାଗରୁ ପ୍ରାପ୍ତ ହୋଇଥିବା ୫ କୋଟି ଅନୁଦାନ ପାଣ୍ଠି ରୁ ୨.୪୨କୋଟିର କାର୍ଯ୍ୟ ସକାଶେ ଚଳିତ ମାସ ୨୦ ତାରିଖରେ ଟେଣ୍ଡର ଖୋଲାଯାଇ କାର୍ଯ୍ୟ ଆରମ୍ଭ କରାଯିବ । ଯୋଜନା ଓ ସମନ୍ବୟ ବିଭାଗ ଦ୍ବାରା ପ୍ରାପ୍ତ ୫ କୋଟି ଅନୁଦାନର କାର୍ଯ୍ୟ ମଧ୍ୟ ଶେଷ କରିବାକୁ କୁହାଯାଇଛି । ରାଜସ୍ବ ବିଭାଗରୁ ପ୍ରାପ୍ତ ୨ କୋଟି ଅନୁଦାନର ଦିଗନ୍ତ ଆଇ.ବି. କାର୍ଯ୍ୟ ମଧ୍ୟ ଶେଷ କରିବାକୁ କୁହାଯାଇଥିଲା । ପଥପ୍ରାନ୍ତ ସୁବିଧା କେନ୍ଦ୍ର ର କାର୍ଯ୍ୟ ମଧ୍ୟ ଶେଷ କରିବାକୁ କୁହାଯାଇଥିଲା । କରୋନା ସଂକ୍ରମଣରୁ ସେବାୟତ ଓ ଭକ୍ତ ମାନଙ୍କର ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷର ନବରାତ୍ର ପୂଜା ସମୟରେ ଭକ୍ତ ମାନଙ୍କର ଦର୍ଶନ ବନ୍ଦ କରାଯାଇଅଛି । ନବରାତ୍ରପୂଜା ଯେପରି ଶାନ୍ତି ଓ ଶୃଙ୍ଖଳାର ସହିତ ସମାପନ ହୋଇ ପାରିବ ସେଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ ।