ବ୍ରହ୍ମପୁର : କୁକୁଡାଖଣ୍ଡି ପଞ୍ଚାୟତ ସମିତିର ସପ୍ତମ ସମିତି ବୈଠକ ବ୍ଲକ୍ ଅଧ୍ୟକ୍ଷ କାମାକ୍ଷାପ୍ରସାଦଙ୍କ ଅଧ୍ୟକ୍ଷତାରେ ସମିତି ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବିଡିଓ ଗଦାଧର ପାତ୍ର, ତହସିଲଦାର ଡ.ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁଙ୍କ ସମେତ ବ୍ଲକ୍ର ସମସ୍ତ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ । କରୋନା ମହାମାରୀ ସଂକ୍ରମଣ ପାଇଁ ଏହି ବୈଠକ ହୋଇପାରିନଥିବା ବେଳେ ବ୍ଲକ୍ ଅଞ୍ଚଳର ଉନ୍ନୟନ କାମର ସମୀକ୍ଷା ଓ ଆଲୋଚନା ପାଇଁ କୋଭିଡ୍-୧୯ର ନିୟମକୁ ପାଳନକରି ସମଦୂରତା ରକ୍ଷାକରି ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ଅଧିନ ୨୨ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟମାନେ ଯୋଗଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ଉପରେ କହିବା ସହ ଏହାକୁ କିପରି ସମାଧାନ କରାଯିବ ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକ ପୂର୍ବରୁ କରୋନାରେ ମୃତ୍ୟୁବରଣ କରିଥିବା କରୋନା ଯୋଦ୍ଧା ଓ ପୂର୍ବତନ ରାଷ୍ଟ୍ରପତି ଡ. ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁ ଅବସରରେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଗରିବ ଗୁରୁବାଙ୍କ ନିକଟରେ ପହଞ୍ଚୁଥିବା ସୁବିଧା ସୁଯୋଗ ଏପରିକି ମୌଳିକ ସମସ୍ୟା ସମାଧାନ ହୋଇପାରୁନଥିବା ନେଇ କିଛି ଜନପ୍ରତିନିଧିମାନେ ଅଭିଯୋଗ କରିବା ସହ କୁକୁଡାଖଣ୍ଡି ତହସିଲ ଅଞ୍ଚଳରେ ଭୂମିହୀନମାନଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମୋ କୁଢ଼ିଆ, ଇନ୍ଦିରାଆବାସ, ଆବାସ ଯୋଜନା, ଅଙ୍ଗନୱାଡ଼ି ଗୃହ ନିର୍ମାଣ ନିମନ୍ତେ ଜମି ଯୋଗାଇବାକୁ ହୁଗୁଳାପଟା ସରପଞ୍ଚ ପ୍ରଦୀପ ମଲାଣ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ସରକାରୀ ଗୃହ ନିର୍ମାଣ କାର୍ଯ୍ୟରେ ଆବଶ୍ୟକ ହେଉଥିବା ମୋରମ୍, ମେଟାଲ୍, ବାଲି, ପଥର ନିମନ୍ତେ ରୟାଲିଟି କଟାଯିବା ସତ୍ତ୍ୱେର୍ ତହସିଲ ପକ୍ଷରୁ ଧରପଗଡକୁ ବାଘଲଟି ଓ ହୁଗୁଳାପଟା ସରପଞ୍ଚ ବିରୋଧ କରିଥିଲେ । ସରପଞ୍ଚଙ୍କ ପ୍ରଶ୍ନରେ ତହସିଲଦାର କହିଥିଲେ ଯେ, ସରକାର ଗୃହ ନିର୍ମାଣ ନାମରେ ବେଆଇନ୍ ମୋରମ୍ ଓ ପଥର ଚାଲାଣକୁ ବରଦାସ୍ତ କରାଯିବ ନାହିଁ । ବ୍ଲକ୍ ପକ୍ଷରୁ ସରକାରୀ କାର୍ଯ୍ୟ ହେଉଥିବା କାର୍ଯ୍ୟଗୁଡିକ ତହସିଲକୁ ଜଣାଇଲେ ସେଠାରେ ନିୟମ ଅନୁଯାୟୀ ସାମଗ୍ରୀ ଯୋଗାଇବାରେ ତହସିଲ ପକ୍ଷରୁ ସହଯୋଗ କରାଯିବ ବୋଲି କହିଥିଲେ । ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ବେଳେ ଏମ୍ଜିଏନ୍ଆର୍ଇଜିଏସ୍ ଓ ଅନ୍ୟାନ୍ୟ ଗୃହ ନିର୍ମାଣ କାର୍ଯ୍ୟ ଉପରେ ଉପସ୍ଥିତ ଜନପ୍ରତିନିଧି ଆଲୋଚନା କରିବା ସହ କେଉଁ ପ୍ରକଳ୍ପ ପାଇଁ କେତେ ଟଙ୍କା ବ୍ୟୟ କରାଯାଇଛି ସେ ସମ୍ପର୍କରେ ଆଲୋଚନା କରି ବ୍ଲକ୍ କାର୍ଯ୍ୟନିର୍ବାହୀଯନ୍ତ୍ରୀ ସୁଜିତ କୁମାର ଟହଲ ସର୍ବିଶେଷ ତଥ୍ୟ ରଖିଥିଲେ । ସମିତି ବୈଠକରେ ସାଂସଦ ପ୍ରତିନିଧି ଟି.ରଘୁପ୍ରସାଦ ପାତ୍ର, ବିଧାୟକ ପ୍ରତିନିଧି ହିମାଂଶୁ ପାଢ଼ୀ, ଦିଲ୍ଲୀପ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇ, ଏବିଡିଓ ବିଜୟ କୁମାର ପ୍ରଧାନ, ବିଇଓ ଏସ୍.ଗିରିଧାରୀ, ଯୋଗାଣ ଅଧିକାରୀ ଜି.ପ୍ରଶାନ୍ତ କୁମାର ରାଓ, ଜିପିଓ କାହ୍ନୁଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ୍ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Related Stories
November 23, 2024