ମହାବିଦ୍ୟାଳୟରେ ବିଭିନ୍ନ ଦୁର୍ନୀତିର ତଦନ୍ତ ଆରମ୍ଭ କଲେ ଲୋକାୟୁକ୍ତ. ଆର୍ଥିକ ଅନିୟମିତତା ଓ ନିଯୁକ୍ତି ଜାଲିଆତିର ଫିଟିବ ଗୁମର.
କେନ୍ଦ୍ରାପଡା ଜିଲ୍ଲା ମହିଳା ମହାବିଦ୍ୟାଳୟର ବହୁ ଚର୍ଚ୍ଚିତ ଦୁର୍ନୀତି ଘଟଣାର ରାଜ୍ୟ ଲୋକାୟୂକ୍ତଙ୍କ ଦୁଇ ଜଣିଆ ଦଳ ସୋମବାର ତଦନ୍ତ ଆରମ୍ଭ କରିଛନ୍ତି. ମହାବିଦ୍ୟାଳୟରେ ଅଧ୍ୟାପକ, ଅଧ୍ୟାପିକା, ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇ ଆସୁଥିଲା. କଲେଜର ଜମି କିଣାରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରିହୋଇଥିଲା. ଏହାଛଡା କଲେଜକୁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଲକ୍ଷଲକ୍ଷ ଟଙ୍କାର ଅନୁଦାନ ଆସିଥିଲା. ଯାହା ସଠିକ ଖର୍ଚ୍ଚ ନହୋଇ ଲୁଟ ହୋଇଥିବା ଅଭିଯୋଗ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା. ଗଣମାଧ୍ୟମର ତଥ୍ୟକୁ ଆଧାରକରି କେତେକ ସାମାଜିକ କର୍ମିମାନେ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ .ଆଜି ମହିଳା ମହାବିଦ୍ୟାଳୟରେ ଲୋକାୟୂକ୍ତଙ୍କ ଦୁଇ ଜଣିଆ ଦଳ ଦୁର୍ନୀତିର ରେକଡପତ୍ର ତନଖି କରିଛନ୍ତି. ୨୦୧୨ ମସିହା ଠାରୁ ୨୦୧୬ ମସିହା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଲୋକସଭା ସାଂସଦ ପ୍ରଭାତ ସାମତରାୟ, ବୈଜୟନ୍ତ ପଣ୍ଡା, ଅର୍ଚ୍ଚନା ନାୟକ, ରବିରାୟ ପ୍ରମୁଖ ଦେଇଥିବା ୨୧ ଲକ୍ଷ ଓ ତତ୍କାଳୀନ ପଟ୍ଟାମୁଣ୍ଡାଇ ବିଧାୟକ ଗଣେଶ୍ବର ବେହେରା ଓ କିଶୋର ତରାଇ ଦେଇଥିବା ସାଇକେଲ ଷ୍ଟାଣ୍ଡ ଓ ଗୃହ ନିର୍ମାଣ ପାଇଁ ଦେଢଲକ୍ଷ ଟଙ୍କାର ବିନିଯୋଗ ସଠିକ ହୋଇନଥିବା ଅଭିଯୋଗ ହୋଇଥିଲା. ସେହିପରି ସ୍ଥାନୀୟ ପ୍ରବାସୀ ମନୋଜ କୁମାର ତ୍ରିପାଠୀ ବିଜ୍ଞାନ ଗୃହ ଓ ଲାବ୍ରୋଟରୀ ସରଞ୍ଜାମ କିଣିବା ପାଇଁ ଦେଇଥିବା ୩୦ ଲକ୍ଷ ଟଙ୍କା ଏବଂ ଯୋଗଗୁରୁ ପ୍ରଜ୍ଞାନା ନନ୍ଦ ବାବା ଦେଇଥିବା ୪ଲକ୍ଷ ଟଙ୍କାର ମଧ୍ୟ ସଠିକ ବିନିଯୋଗ ହୋଇ ପାରିନି ବୋଲି ଅଭିଯୋଗ ହୋଇଥିଲା. ଏହି ତଦନ୍ତକାରୀ ଦଳ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ ଭେଟି ଓ ବିଭିନ୍ନ କର୍ମଚାରୀ ମାନଙ୍କୁ ଏହି ଏହି ବିଭିନ୍ନ କର୍ମଚାରୀ ଅଭିଯୋଗ ସମ୍ପର୍କରେ ପ୍ରାଥମିକ ପଚରାଉଚରା କରିଛନ୍ତି. ଏହାଛଡା କଲେଜର ସଭାପତି ଦାୟିତ୍ବରେ ଥିବା କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନାକରି ଫେରିଯାଇଛନ୍ତି. ଲୋକାୟୁକ୍ତଙ୍କ ତଦନ୍ତକୁ ବୁଦ୍ଧିଜୀବି, ଶିକ୍ଷାବିତ୍, ଛାତ୍ରୀ, ଅଭିଭାବକ ମାନେ ସ୍ବାଗତ କରିଥିବା ବେଳେ ଦୁର୍ନୀତି, ପ୍ରିୟାପ୍ରୀତି ଓ ହେରଫେର ଘଟଣାରେ ସମ୍ପୃକ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ଛନକା ପଶିଛି.