
ଗଞ୍ଜାମ– ହିଞ୍ଜିଳିକାଟୁ ବିଦ୍ୟୁତ ବିଭାଗର କାର୍ଯ୍ୟକଳାପକୁ ନେଇ ଲୋକଙ୍କ ମନରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଆଜିକି କିଛି ମାସ ହେଲା ବିନା ସୂଚନାରେ ହିଞ୍ଜିଳିକାଟୁ ପୌରଞ୍ଚଳ ସମେତ ଆଖପାଖ ଗ୍ରାମଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ୍ ହେଉଛି । ଦିନ ତମାମ ପ୍ରତି ୧ ଘଣ୍ଟାରେ ୧୦/୧୫ ମିନିଟ୍ ବିଦ୍ୟୁତ୍ ସରବରାହ ବନ୍ଦ ରହୁଛି ।ଏହା ସହ କିଛି ନିର୍ଦ୍ଦିଷ୍ଟ ସାହିରେ ଭୋର୍ ୩ଟା ସମୟରୁ ଲୋ ଭୋଲଟେଜ୍ ସମସ୍ୟା ରହୁଛି । ଯାହା ଫଳରେ ଉକ୍ତ ଅଞ୍ଚଳ ବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଲୋ ଭୋଲଟେଜ୍ ସମସ୍ୟା ଯୋଗୁଁ ଅଧିକାଂଶ ଲୋକଙ୍କ ବିଭିନ୍ନ ପ୍ରକାର ବିଦ୍ୟୁତ୍ ଉପକରଣ ସାମଗ୍ରୀ ନଷ୍ଟ ହେଲାଣି । ଗୋଟିଏ ପଟେ କରୋନା ମହାମାରୀ ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଦ୍ୟାର୍ଥୀ ମାନଙ୍କ ବାରଣ ରହିଥିବା ବେଳେ ଅନ୍ ଲାଇନ୍ ମାଧ୍ୟମରେ ଶିକ୍ଷାଦାନକୁ ଗୁରୁତ୍ଵ ଦିଆଯାଉଛି । ବର୍ତ୍ତମାନ ବିଦ୍ୟୁତ୍ ବିଭାଗର ବିଭ୍ରାଟ ଯୋଗୁଁ ବିଦ୍ୟାର୍ଥୀ ମାନେ ଏହି ସମସ୍ୟାରେ ଛନ୍ଦି ହୋଇ ପାଠ ପଢ଼ିବାରେ ବାଧା ଉପୁଜିଥିବା କହିଛନ୍ତି । ଅନ୍ୟ ପଟେ ମହାମାରୀ ଭଳି ଘଡି ସନ୍ଧି ମୁହୂର୍ତ୍ତରେ ବିଦ୍ୟୁତ୍ ବିତରଣ ସଂସ୍ଥା ପ୍ରତି ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି ହୋଇଥିଲେ ମଧ୍ୟ ସହର ବାସୀଙ୍କୁ ଉଚିତ ସେବା ଦେବାରେ ହିଞ୍ଜିଳିକାଟୁ ବିଦ୍ୟୁତ୍ ବିଭାଗ ଅଦ୍ୟାବଧି ସଫଳ ହୋଇପାରିନାହିଁ । ବିଭାଗୀୟ ଅଧିକାରୀ ମାନେ ହିଞ୍ଜିଳିକାଟୁ ଅଞ୍ଚଳରେ ରହୁନଥିବା ବେଳେ ସଠିକ୍ ସମୟରେ ଅଭିଯୋଗ କେନ୍ଦ୍ର ମଧ୍ୟ ଖୋଲା ରହୁନାହିଁ । ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।
ଏନେଇ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନରୋତ୍ତମ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ସମସ୍ୟାର ଅନୁସନ୍ଧାନ କରି କରି ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ।