
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ଦଳୀୟ ସଙ୍ଗଠନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସ୍ଥାନୀୟ ବାପୁଜୀ ଆଶ୍ରମ ପରିସରରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ଭି.ଚନ୍ଦ୍ରଶେଖର ନାଇଡୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାରେ ଦଳୀୟ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ଏକ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଦଳର ଛାମୁଆକର୍ମୀ ନିଜକୁ ଅଧିକ ସକ୍ରୀୟକରି ସାଧାରଣ ଲୋକଙ୍କୁ ଦଳ ପ୍ରତି ଆକୃଷ୍ଠ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଜନବିରୋଧି କାର୍ଯ୍ୟକ୍ରମ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା କରିବାକୁ ଶ୍ରୀ ନାଇଡୁ କର୍ମୀଙ୍କ ପରାମର୍ଶ ଦେଇଛନ୍ତି । ଗତ ୭ତାରିଖରେ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଏ.ଚେଲା କୁମାରଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ଶ୍ରୀ ନାଇଡୁ ଗଞ୍ଜାମ କଂଗ୍ରେସର ସାଙ୍ଗଠନିକ ପୁନ ବିନ୍ୟାସ ନେଇ ଦେଇଥିବା ପ୍ରସ୍ତାବ ଯୋଗୁ ତାଙ୍କୁ ଧ୍ୟାନବାଦ ଦିଆଯାଇଛି । ଦଳର ଗଞ୍ଜାମ ସାଙ୍ଗଠନିକ ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତକରି ବ୍ରହ୍ମପୁର ଓ ଗଞ୍ଜାମକୁ ସ୍ୱତନ୍ତ୍ର ଭାବେ ସାଙ୍ଗଠନିକ ଜିଲ୍ଲାର ମାନ୍ୟତା ଦେବାକୁ ପ୍ରସ୍ତାବ ଦିଆଯାଇଥିଲା । ଏନେଇ ଶ୍ରୀ ଚେଲାକୁମାର ସହମତି ପ୍ରକାଶ କରିଥିବା ଶନିବାର ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବାପରେ ଦିଗପହଣ୍ଡି ଗସ୍ତକରି ସ୍ଥାନୀୟ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପଣ୍ଡା ଓ ଅନ୍ୟକର୍ମୀଙ୍କ ସହ ସାଙ୍ଗଠନର ଆଲୋଚନା କରିଥିଲେ । ଏହି ସମୟରେ କଂଗ୍ରେସ ନେତା ଶିବରାମ ପାତ୍ର, ପ୍ରମୋଦ ଜେନା, ବୃନ୍ଦାବନ ଖଟେଇ, ପଦ୍ମଚରଣ ସାହୁ, ପ୍ରମୋଦ ଦାସ, ରବି ଅଧିକାରୀ, ଭୀମରାଜୁ ରେଡ୍ଡୀ, ବୁଚି ବାବୁ, ବସନ୍ତ ପଟ୍ଟନାୟକ, ଦିବ୍ୟରାଜୁ ପାଣିଗ୍ରାହୀ, ପତିତ ଗନ୍ତାୟତ, ରାଜୀବ ଖୁଣ୍ଟିଆ, ଜଗନ୍ନାଥ ପଲେଇଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ ।