
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ଅନିଲ କୁମାର ସାମଲ ଜିଲ୍ଲାରେ କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲା ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ସାମଲ ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରାଇଥିଲେ । ଜିଲ୍ଲାପାଳ ଶ୍ରୀ ବଲଓ୍ବନ୍ତ ସିଂ ଜିଲ୍ଲାରେ କୋଭିଡ ସ୍ଥିତି,କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର, କୋଭିଡ କେୟାର ସେଣ୍ଟରରେ ଉପଲବ୍ଧ ସୁବିଧା ସଂପର୍କରେ ଜଣାଇଥିଲେ । ଜିଲ୍ଲାରେ ଏପର୍ଯ୍ୟନ୍ତ ୯୩ ହଜାର ୫୨୭ ଜଣଙ୍କ କରୋନା ପରୀକ୍ଷା କରାଯାଇଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ୧୦୨୧୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ୮୭୩୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ୧୪୨୨ ଜଣ ସଂକ୍ରମିତ ମାନଙ୍କ ମଧ୍ୟରୁ ୧୦୫୧ ଜଣ ଗୃହ ସଙ୍ଘରୋଧରେ ଅଛନ୍ତି । କରୋନା ଆରୋଗ୍ୟ ହାର ୮୬ ପ୍ରତିଶତ ରହିଛି ଓ ଆରୋଗ୍ୟ ହାର ଆହୁରି ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି ।
ବର୍ତ୍ତମାନ ୨୬ଟି ସ୍ଥାନକୁ କଣ୍ଟେନମରଣ୍ଟ ଜୋନରେ ରଖାଯାଇଛି । ବର୍ତ୍ତମାନ ଜିଲ୍ଲାର ୧୦ଟି କୋଭିଡ ଯତ୍ନ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ରୋଗୀ ମାନଙ୍କ ପାଇଁ ୯୭୨ ଶଯ୍ୟା ବ୍ୟବସ୍ଥା ରହିଛି ଏବଂ ଏଥିରେ ୩୦୦ ରୋଗୀ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ଜିଲ୍ଲାରେ ପ୍ରାୟ ୧୨୦୦ ନମୁନା ସଂଗ୍ରହ କରାଯାଉଥିବା ବେଳେ ସେଥିମଧ୍ୟରୁ ପ୍ରାୟ ଏକ ହଜାର ଆଣ୍ଟିଜେନ ଏବଂ ୨୦୦ ଆରଟିପିସିଆର ମାଧ୍ୟମରେ ନମୁନା ସଂଗ୍ରହ କରାଯାଉଛି । ସେହିଭଳି ପ୍ରତି ବ୍ଲକରୁ ଦୈନିକ ୧୦୦ ନମୁନା ସଂଗ୍ରହ ପାଇଁ ଦୁଇଟି ଟିମ ଗଠନ କରାଯାଇଛି । କରୋନା ଯୋଦ୍ଧା ଭାବେ ମୃତ୍ୟୁ ବରଣ କରିଥିବା ପୁରୀ ସଦର ବ୍ଲକର ଗଡମୃଗଶିରା ପ୍ରାଣୀଧନ ନିରୀକ୍ଷକ ଶ୍ରୀ ବିଶ୍ବମୋହନ ବେହେରାଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାସ ନାଥଶର୍ମା, ଶ୍ରୀ ନାରାୟାଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ।