ଭୁବନେଶ୍ୱର– ଅନୁଗୁଳ ଜିଲ୍ଲାରେ ଗତ ୧୦ ବର୍ଷ ଭିତରେ ଆଦିବାସୀ ଏବଂ ତଫସିଲଭୁକ୍ତ ଜାତି ଲୋକମାନଙ୍କର ୭୦୦ ଏକରରୁ ଉର୍ଦ୍ଧ୍ୱ ଜମି ହଡପ କରାଯାଇଛି । ଏଥିରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ରାଜସ୍ୱ ଅଧିକାରୀମାନେ ସଂପୃକ୍ତ ରହିଛନ୍ତି । ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିସିସି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ଦାବି କରିଛନ୍ତି । ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ସହ ଆଇନ୍ ର ଆଶ୍ରୟ ନେବୁ । ଆବଶ୍ୟକ ହେଲେ ସିବିଆଇ ତଦନ୍ତ ଦାବିରେ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି ସେ କହିଛନ୍ତି ।
ଶ୍ରୀ ମାଝୀ କହିଛନ୍ତିି ଯେ ଶ୍ରୀ ସୁଶିଲ୍ କୁମାର ଅଗ୍ରୱାଲଙ୍କ ପରିବାରର ବିଭିନ୍ନ ସଦସ୍ୟଙ୍କ ନାମରେ ୭୦୦ ଏକର ଜମି କିଣା ଯାଇଛି । ଶ୍ରୀ ଅଗ୍ରୱାଲଙ୍କ ୨୦୧୦ ମସିହାରେ କୌଣସି ଆର୍ଥିକ ସ୍ୱଚ୍ଛଳତା ନଥିଲା ।ସୁଶିଲଙ୍କ ସମ୍ପର୍କୀୟ ଅରବିନ୍ଦ ଅଗ୍ରୱାଲ୍ ଅନୁଗୁଳ ଜିଲ୍ଲାପାଳ ଥିବା ସମୟରେ ଯୋଗାଣ ବିଭାଗ ଅଧିନରେ ଜଣେ ପରିବହନ ଏଜେଂଟ ଭାବରେ ବ୍ୟବସାୟ ଆରମ୍ଭ କରିଥିଲେ ଶ୍ରୀ ସୁଶିଲ ଅଗ୍ରୱାଲ । ଏହି ୧୦ ବର୍ଷ ଭିତରେ ସେ ୨୫୦ କୋଟି ଟଙ୍କାର ସଂପତି କେମିତି କିଣିଲେ ତାହା ଏକ ଆଶ୍ଚର୍ଯ୍ୟର ବିଷୟ । ଏହି ସୁଶିଲ ଅଗ୍ରୱାଲ ମାଲକାନଗିରି ଜିଲ୍ଲା ସମେତ କଟକ, ଅନୁଗୁଳ ଇତ୍ୟାଦି ଜିଲ୍ଲାମାନଙ୍କୁ ନିମ୍ନମାନର ଲେବର କିଟ୍ ଯୋଗାଣ କରି କୋଟି କୋଟି ଟଙ୍କା ଆତ୍ମସାତ୍ କରିଥିଲେ । ଏଥିରେ ସେହି ସମୟରେ ଅନୁଗୁଳର ୬ ଜଣ ଉପଜିଲ୍ଲାପାଳ ଯଥା ସୁଦର୍ଶନ ପରିଡା, ଅଭୟ ନାୟକ, ଏ. କେର୍କେଟା, ପ୍ରସନ୍ନ ଦାସ, ସରୋଜ ମହାନ୍ତି, ବାସୁଦେବ ଶତପଥି ପ୍ରମୁଖ ଏଥିରେ ସଂପୃକ୍ତ ଥିବାର ପ୍ରମାଣ ମିଳେ । ଆଦିବାସୀ ଏବଂ ଦଳିତମାନଙ୍କ ଜମି କିଣିଲା ବେଳେ ଯେଉଁ ଡାକ୍ତରୀ ସାର୍ଟିଫିକେଟ୍ ଗୁଡିକୁ ବ୍ୟବହାର କରାଯାଇଛି ତାହା ମିଥ୍ୟା ଦସ୍ତାବିଜ ଉପରେ ଆଧାରିତ ।
ପଞ୍ଜିକରଣ ମାଧ୍ୟମରେ ଯେଉଁ ଜମି କିଣାଯାଇଛି ତାକୁ ତୁରନ୍ତ ବାତିଲ କରି ସେମାନଙ୍କ ଜମି ଫେରାଇବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ବିଧାନ କରିବା ପାଇଁ ଦାବି କରାଯାଇଛି । ରାଜସ୍ୱ ମନ୍ତ୍ରୀ ହିସାବରେ ଶ୍ରୀ ସୁଦାମ ମାର୍ଣ୍ଡି ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସରକାର ଯଦି ଏ ଦିଗରେ ଦୃଢ଼ ପଦକ୍ଷେପ ନ ନିଅନ୍ତି ତେବେ ନ୍ୟାୟିକ ରାସ୍ତାରେ ଯିବା ପାଇଁ ମଧ୍ୟ ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ, ପୂର୍ବତନ ସାଂସଦ ନକୁଳ ନାୟକ, ସନ୍ତୋଷ ପଟ୍ଟନାୟକ, ଟିକନ ବେହେରା, ଜୟନ୍ତ ସାହୁ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।