ଭୁବନେଶ୍ୱର– ଆଜି ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ ।ଏହା ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ ।୧୬ତମ ବିଧାନସଭାର ୪ର୍ଥ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ । ଏଥିରେ ୭ଟି ସରକାରୀ ଦିବସ ଗୋଟିଏ ବେସରକାରୀ ଦିବସ ରହିଛି । ଅକ୍ଟୋବର ୨ ଗାନ୍ଧି ଜୟନ୍ତି ପାଇଁ ବିଧାନସଭା ବନ୍ଦ ରହିବ । ତେବେ ଅକ୍ଟୋବର ୪ ତାରିଖ ରବିବାର ହେଲେ ମଧ୍ୟ ବିଧାନସଭାର ଅଧିବେଶନ ଚାଲିବ । ଗତ ୧୪ ତାରିଖ ଦିନ ବିଧାନସଭା ସଚିବାଳୟ ପକ୍ଷରୁ ଏସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇଥିଲା ।
ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣକରାଯାଇଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ମନ୍ତ୍ରୀ , ବିଧାୟକ, ପିଏସଓ , ବିଧାନସଭା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର କରୋନା ପରୀକ୍ଷା କରାଯାଇଛି ।
ସର୍ବଦଳୀୟ ବୈଠକର ନିଷ୍ପତି ଅନୁଯାୟୀ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ସଂସଦ ଢାଂଚାରେ ବସିବ । ପ୍ରତ୍ୟକ ଦିନ ୨ ପର୍ଯ୍ୟାୟରେ ସାଢେ ୪ ଘଂଟା ଗୃହ ପରିଚାଳିତ ହେବ । ପ୍ରଥମ ଦିନ ୧୧ଟାରୁ ଆରମ୍ଭ ହେବ । ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ଘୋଷଣା କରାଯିବ । ସେହିଦିନ ଅପରାହ୍ନ ୩ଟାରୁ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ଶେଷ ହେବ । ଅନ୍ୟଦିନ ଗୁଡିକରେ ଗୃହ କାର୍ଯ୍ୟ ପ୍ରଥମ ପର୍ଯ୍ୟାୟ ପୂର୍ବାହ୍ନ ୧୦ଟା ୩୦ରୁ ଦିନ ଗୋଟାଏ ଯାଏଁ ଚାଲିବ ଓ ପରେ ଦ୍ୱିତୀୟ ପର୍ଯ୍ୟାୟ ଗୃହ କାର୍ଯ୍ୟ ୩ଟାରୁ ୫ଟା ଯାଏଁ ପରିଚାଳିତ ହେବ । ପ୍ରଶ୍ନକାଳ ଛାଡ଼ି ଶୂନ୍ୟକାଳ, ମୂଲତବୀ ପ୍ରସ୍ତାବ, ମୋସନ ରହିବ । ବସିବା ବେଳେ ବିଧାୟକମାନେ ୪ ଫୁଟ୍ ଦୂରତା ବଜାୟ ରଖିବେ । ଦର୍ଶକ ଗ୍ୟାଲେରିରେ ମଧ୍ୟ ବିଧାୟକ ବସିବେ । ୧୪୫ ବିଧାୟକଙ୍କ ପାଇଁ ପ୍ରସ୍ତୁତ ସିଟ୍ ସମ୍ମୁଖରେ ର ସିଲଡ କାଚ ଲଗାଯାଇଛି । ଯେଉଁ ବରିଷ୍ଠ ବିଧାୟକ ଆସିବେନି ଆଗରୁ ସୂଚନା ଦେବେ ବୋଲି ସେ କହିଛନ୍ତି । ସେମାନେ ନିଜ ଘର, ଜିଲ୍ଲା ମୁଖ୍ୟାଳୟରେ ଭିସିରେ ବସିପାରିବେ ବୋଲି ସେ କହିଛନ୍ତି ।
ପରମ୍ପରା ଅନୁସାରେ ବିଧାନସଭା ଅଧିବେଶନର ପ୍ରଥମ ଦିନ ଅର୍ଥାତ ୨୯ ତାରିଖରେ ଶୋକ ପ୍ରସ୍ତାବ ଆଗତ ହେବ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ , ତିର୍ତୋଲ ବିଧାୟକ ବିଷ୍ଣୁ ଦାସ, ବାଲେଶ୍ୱର ବିଧାୟକ ମଦନ ମୋହନ ଦତ, ପୂର୍ବତନ ବିଧାୟକ ଅଭିମନ୍ୟୁ କୁଁଅର, ନେଲସନ୍ ସୋରେଙ୍ଗେ, ରବୀନ୍ଦ୍ରନାଥ ଭୋଇ, ସହରାଇ ଓରାମ୍, ସନାତନ ବିଶି, ହରପ୍ରସାଦ ମହାପାତ୍ର, ଅର୍ଜୁନ୍ ସେଠୀ, ଚିନ୍ତାମଣି ଜେନା, ରାମମୂର୍ତି ମୁତିକାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବ ।