ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ନୂଆ ୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫୧୩ କୁ ବୃଦ୍ଧି ପାଇଛି । ୧୦୬୩ ନମୂନା ସଂଗ୍ରହ ପରେ ର୍ୟାପିଡ଼୍ ଆଂଟିଜେନ ଓ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ଏହି ପରୀକ୍ଷାରୁ ୩୧ଟି ରିପୋର୍ଟ ପଜିଟିଭ୍ ଆସିଥିଲା । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର ସେଂଟରରେ ଭର୍ତି କରାଯାଇଛି । ସାମାନ୍ୟ ଆକ୍ରାନ୍ତ ମାନଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ନୂଆ ଚିହ୍ନଟ ଏହି ୩୧ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ଜଣ ପୁରୁଷ ଓ ୧୩ ଜଣ ମହିଳା ରହିଛନ୍ତି । ତନ୍ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ଏମାନଙ୍କର ବୟସ ୧୭ ବର୍ଷରୁ ୬୬ ବର୍ଷ ମଧ୍ୟରେ ରହିଛି । ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌରାଚଂଳରୁ ୫ ଜଣ, ଗୋଷାଣି ବ୍ଲକରୁ ୩ ଜଣ, ଗୁମ୍ମା ବ୍ଲକରୁ ୧୨ ଜଣ, କାଶୀନଗର ବ୍ଲକରୁ ଜଣେ, ମୋହନା ବ୍ଲକରୁ ଜଣେ, ନୂଆଗଡ଼ ବ୍ଲକରୁ ୮ ଜଣ ଏବଂ ଆର୍. ଉଦୟଗିରି ବ୍ଲକରୁ ଜଣେ ଆକ୍ରାନ୍ତ ରହିଛନ୍ତି ।
ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୩ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସେହିପରି ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜାରୀ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରୁ ସୂଚନା ମିଳିଛି ।