ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ରବିବାର ଦିନ ବିଶ୍ୱ ପର୍ଯ୍ୟଟନ ଦିବସ କୋଭିଡ୍ ନିୟମକୁ ମାନି ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ କରାଯାଇଛି । ଗୋପାଳପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗଦେଇ କହିଥିଲେ ଯେ, ଗୋପାଳପୁର ବେଳାଭୂମିକୁ ସାରା ବିଶ୍ୱରେ ପରିଚିତ କରିବା ପାଇଁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ସ୍ଥାନୀୟ ଏନ୍ଏସିର ମିଳିତ ଉଦ୍ୟମରେ ବହୁ ଉନ୍ନୟନ ଓ ସୌନ୍ଦର୍ଯ୍ୟ କାର୍ଯ୍ୟକ୍ରମ ଜାରି ରହିଛି । କୋଭିଡ୍ ଯୋଗୁ କାର୍ଯ୍ୟରେ ସାମାନ୍ୟ ବାଧା ଉପୁଜିଥିଲା । ତେଣୁ ବର୍ତ୍ତମାନ ସମୟସୀମା ମଧ୍ୟରେ ଯୁଦ୍ଧକାଳୀନଭିତ୍ତିରେ କାର୍ଯ୍ୟ ସରିବ । ଗୋପାଳପୁରକୁ ଏକ ସରସ ସୁନ୍ଦର କରିବା ଦିଗରେ ପ୍ରଚେଷ୍ଟା ଜାରି ରହିବ ବୋଲି କହିଥିଲେ । ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍ସି କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦାରୋ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନଙ୍କ ସହ ଜିଲ୍ଲାପାଳ ବେଳାଭୂମିର ଦୁଇପାଶ୍ୱର୍ରେ ପଡିଥିବା ଅଳିଆ ଆବର୍ଜନାକୁ ସଫା କରିବା ସହ ବେଳାଭୂମି ଅଞ୍ଚଳକୁ ପଲିଥିନ ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଗୋପାଳପୁରବାସୀ କୋଭିଡ୍ ନିୟମ ପାଳନକରି ମାସ୍କ ପରିଧାନ, ସାମାଜିକ ଦୂରତା ଅବଲମ୍ବନ ଦିଗରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ ।