
ମାଲକାନଗିରି-ଅପହଞ୍ଚ ଇଲାକାରେ ଅପହଞ୍ଚ ଅନଲାଇନ ପାଠପଢା । କୋରୋନା କାଳରେ ଦେଖିବାକୁ ମିଳିଛି ଶିକ୍ଷାଦାନର ବିକଳ ଚିତ୍ର । କୋରୋନା ପାଇଁ ସାରା ଦେଶକୁ ଲକଡାଉନ କରାଯାଇଥିଲା । ସେବେଠୁ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରଖାଯାଇଛି । ଏହା ଦ୍ବାରା ପିଲାମାନଙ୍କ ପାଠ ପଢାରେ ବାଧା ସୃଷ୍ଟି ହେବାରୁ ସରକାର ଅନଲାଇନ ମାଧ୍ୟମରେ ପାଠପଢା ଆରମ୍ଭ କରିଛନ୍ତି । ହେଲେ ଅପହଞ୍ଚ ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଅଞ୍ଚଳରେ ଅନଲାଇନ ପାଠ୍ୟକ୍ରମ ଯେମିତି ପ୍ରହସନ ପାଲଟିଛି । ଅପହଞ୍ଚ ଇଲାକାରେ ଅପହଞ୍ଚ ନେଟୱାର୍କ, ଅସୁରକ୍ଷିତ ବଣ୍ଡାଘାଟି ପିଲାଙ୍କ ଭବିଷ୍ୟତଶିକ୍ଷାଦାନ ନାଁରେ ବାଜିରେ ଲାଗିଛି ପିଲାଙ୍କ ଭବିଷ୍ୟତ। ନେଟୱାର୍କ ନଥିବାରୁ ପାଠପଢାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ତେଣେ କ୍ଲାସ ପାଇଁ କିଏ ରାସ୍ତାକଡ ଗଛ ତଳେ ବସି ପଢୁଛି ତ ଆଉ କେତେକ ଗାଁ ଠାରୁ ୫ କିମି ଦୂର ପାହାଡ ଚଢିବାକୁ ବାଧ୍ୟ ହେଉଛନ୍ତି । ଏହିପରି ଅସୁରକ୍ଷିତ ଭାବେ ଚାଲିଛି ବଣ୍ଡାଘାଟି ପିଲାମାନଙ୍କ ପାଠପଢା । ଆଉ ଯେଉଁମାନଙ୍କ ପାଖରେ 4G ସ୍ମାର୍ଟ ଫୋନ ନାହିଁ ସେମାନେ ଏବେ ବିଲରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ଲକଡାଉନ ପର ଠାରୁ ଦୀର୍ଘ ୬ ମାସ ମଧ୍ୟରେ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ବଣ୍ଡାଘାଟିର ମୁଦୁଲୁପଡା ଓ ଅଣ୍ଡ୍ରାହାଲ ୨ ଟି ପଞ୍ଚାୟତ ରହିଛି । ଏହି ୨ ଟି ପଞ୍ଚାୟତରେ 3G କିମ୍ବା 4G ନେଟୱାର୍କ ନାହିଁ । କେବଳ ବିଏସଏନଏଲର 2G ନେଟୱାର୍କ ଆସିଛି । ତେବେ ସେଥିରେ ସାଧାରଣ କଥା ହେବା ବି ମୁସ୍କିଲ । ଫଳରେ ବଣ୍ଡାଘାଟିର ୫ 00 ପିଲାଙ୍କ ଅନଲାଇନ ପାଠପଢାରେ ବଡ ଧରଣର ବ୍ୟତିକ୍ରମ ସୃଷ୍ଟି ହୋଇଛି । ଶିକ୍ଷା ବ୍ୟବସ୍ଥାରୁ ବଞ୍ଚିତ ହେଉଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟ ଆଗ୍ରହ କମି ଯାଉଛି । ସେପଟେ, ସ୍ଥାନୀୟ ବିଧାୟକ କହିଛନ୍ତି, ଖୁବଶୀଘ୍ର ପିଲାମାନଙ୍କୁ ଟିଭି ମାଧ୍ୟମରେ ପାଠପଢାର ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଉଛି ।ଲକଡାଉନରେ ସମସ୍ତ ସ୍କୁଲରେ ଅନଲାଇନ ଦ୍ୱାରା ପାଠପଢା ଚାଲୁ ରଖିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ଶିକ୍ଷାର୍ଥୀ ଘରେ ବସି ଅନଲାଇନ ହ୍ଵାଟ୍ସଆପ୍ ଜରିଆରେ ପାଠ ପଢିବା ପାଇଁ ବିଭାଗ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି। ହେଲେ ଶିକ୍ଷା ସଂଯୋଗରେ କେତେ ଛାତ୍ର ଛାତ୍ରୀ ଉପକୃତ ହେବେ ତାହା ଆଗାମୀ ଦିନରେ ଜଣାପଡିବ