-
ପ୍ରଶାସନ ତରଫରୁ ରେଳ ଓଭରବ୍ରିଜ କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ମାଟିଆପଡ଼ା, କୁମୁଟିପାଟଣା, ବାଲୁଖଣ୍ଡ ଓ ସିଦ୍ଧମହାବୀର ମୌଜାର ବାସିନ୍ଦା ଓ ବ୍ୟବସାୟୀମାନେ ଜିଲ୍ଲାପାଳଙ୍କୁ ଏକ ଲିଖିତରେ ଅଭିଯୋଗ କରିଥିଲେ ଯେ ପୁରୀ ସହରରେ କରୋନା ରୋଗ ଅତ୍ୟଧିକ ମାତ୍ରାରେ କାୟା ମେଲାଇ ଲୋକମାନଙ୍କର ଆର୍ଥିକ, ମାନସିକ ଓ ଶାରିରୀକ ଶକ୍ତିକୁ ସଂପୂର୍ଣ୍ଣ ଭାବରେ କ୍ଷତି କରାଇସାରିଛି ଓ କ୍ଷତି କରିଚାଲିଛି । ଆମ୍ଭେମାନେ ବର୍ତ୍ତମାନ ଜଟିଳ ପରିସ୍ଥିତ ଓ ବିଚଳିତ ଅବସ୍ଥାରେ ଅଛୁ । ଏହି ଦୁର୍ଦ୍ଧିନ ସମୟରେ ମାଟିଆପଡ଼ା ରେଲୱେ ଓଭର ବ୍ରିଜ୍ କାମକୁ ବର୍ତ୍ତମାନ ପାଇଁ ସ୍ଥଗିତ କରାଯାଉ |ପ୍ରଦୀପ୍ତ କୁମାର ନାୟକ, ଶତ୍ରୁଘ୍ନ ବଳିୟାରସିଂହ, ବିବେକାନନ୍ଦ ପଣ୍ଡା, ବିରଞ୍ଚି ନାରାୟଣ ରଥ, ବିଭୁତି ଭୂଷଣ ସେଠୀ, ଭୀମସେନ ସାହୁ, ମନୋରଞ୍ଜନ ସାହୁ, ସନ୍ତୋଷ ସେଠୀ, ରମେଶ ଚନ୍ଦ୍ର ଗୋଛାୟତ, ଦେବୀପ୍ରସାଦ ନାୟକ, ଶତ୍ରୁଘ୍ନ ନାୟକ, ଲଷ୍ମୀଧର ନାୟକ ପ୍ରମୁଖ ଲିଖିତରେ ଜଣାଇଥିଲେ |
ଏହାପରେ ସିଦ୍ଧମହାବୀର ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣରେ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲା ପ୍ରଶାସନ । ଭୂଅର୍ଜନ
ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଉଚ୍ଛେଦ ପୂର୍ବରୁ ଥଇଥାନ ଏବଂ ଉପଯୁକ୍ତ କ୍ଷତିପୂରଣ ପାଇଁ ସ୍ଥାନୀୟ ବାସୀ ଦାଵୀ କରିଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ ସୁରକ୍ଷା କରିଡର ନିମନ୍ତେ ରାଜ୍ୟ ସରକାର ପୁନର୍ବାସ ଓ ଥଇଥାନ ଯୋଜନା କାର୍ଯ୍ୟକାରୀ କରିଥିବାରୁ ରେଳ ଓଭରବ୍ରିଜ ଭୂଅର୍ଜନ ନିମନ୍ତେ ତାହା ଲାଗୁ କରାଯିବାକୁ ସିଦ୍ଧମହାବୀର ରେଳ ଓଭରବ୍ରିଜ କ୍ଷତିଗ୍ରସ୍ତ ମଞ୍ଚ ଦାଵୀ କରିଛନ୍ତି । କ୍ଷତିଗ୍ରସ୍ତ ହେବାକୁଥିବା ବ୍ୟବସାୟୀ ଏବଂ ଜମି ମାଲିକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ଜମି ଅଧିଗ୍ରହଣ ଅଧିକାରୀ ପ୍ରଶାନ୍ତ କୁମାର ଜେନା, ସିଟି ଡିଏସ୍ପି କ୍ଷୀର ସାଗର
ନାୟକ ଏବଂ ତହସିଲଦାର ରବୀନ୍ଦ୍ର କୁମାର ପ୍ରଧାନ ବୈଠକରେ ଉପସ୍ଥିତ ଥିଲେ । କ୍ଷତିଗ୍ରସ୍ତ ମଞ୍ଚ ଦାବୀ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ସହ ଖୁବଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ଦାଶ ପ୍ରକାଶ କରିଛନ୍ତି।