ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜିଠୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ କୋଭିଡ଼୍ ସଚେତନତା ସପ୍ତାହ ପାଳନ କରାଯାଉଛି ।
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନା ଅନୁଯାୟୀ, ଏହି ସପ୍ତାହ ପାଳନର ଆଭିମୁଖ୍ୟ ହେଲା କୋଭିଡ଼୍ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ଓ ସମସ୍ତେ ଯେପରି ସତର୍କତା ଅବଲମ୍ବନ କରିବେ ସେ ଦିଗରେ ପଦକ୍ଷେପ ନେବା । ବର୍ତମାନ ସମୟରେ ଜିଲ୍ଲାରେ କରୋନା ସଂକ୍ରମଣ କମି ଆସିଛି ସତ, କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଲୋପ ହୋଇନାହିଁ । ଆଗାମୀ ଅକ୍ଟୋବର ମାସ ଜିଲ୍ଲାବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ଏହାକୁ ଦୃଷ୍ଟିରେ ରଖି କୋଭିଡ଼୍ ସଚେତନତା ସପ୍ତାହ ପାଳନ ଅବସରରେ ଘରକୁ ଘର ବୁଲି କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି । ସ୍ୱେଚ୍ଛାସେବୀ ଓ ଜନପ୍ରତିନିଧି ମାନେ ଏ ଦିଗରେ କାର୍ଯ୍ୟ କରୁଛନ୍ତି । କୋଭିଡ଼୍ ସପ୍ତାହ ପାଳନ ଅବସରରେ ସମସ୍ତ ପଚାଂୟତ, ବ୍ଲକ୍, ବିଜ୍ଞାପିତ ଅଂଚଳ ଓ ସହରାଚଂଳରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି । ସମସ୍ତ ଜନ ପ୍ରତିନିଧି ମାନଙ୍କୁ ଅନ୍ତର୍ଭୁକ୍ତ କରି ଜିଲ୍ଲାର ସମସ୍ତ ଗ୍ରାମାଚଂଳ ଓ ସହରାଚଂଳରେ କୋଭିଡ଼୍ ମନିଟର୍ ସହ ବିଡ଼ିଓ ଓ ସମସ୍ତ କୋଭିଡ଼୍ ସଖୀଙ୍କୁ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ ଜରିଆରେ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଉଛି ।
ପୂର୍ବପରି ସ୍ୱାସ୍ଥ୍ୟ ଅଧିକାରୀ, ଶିକ୍ଷକ, ସ୍ୱୟଂ ସହାୟିକା ଗୋଷ୍ଠୀ, ଆଶାକର୍ମୀ ଟିମ୍ ଘରକୁ ଘର ବୁଲି ଲୋକଙ୍କ ସ୍କ୍ରିନିଂ କରୁଛନ୍ତି । ସମସ୍ତଙ୍କର ଲକ୍ଷଣ ଓ ଅକ୍ସିଜେନ୍ ସ୍ତର ପରୀକ୍ଷା କରାଯାଉଛି । କୋଭିଡ଼୍ ନିରାକରଣ ପାଇଁ ସହରାଚଂଳ ଓ ଗ୍ରାମାଚଂଳ ଜନସାଧାରଣଙ୍କୁ ବିଭିନ୍ନ ସ୍ଥାନରେ ଶପଥ ପାଠ ମଧ୍ୟ କରାଯାଇଛି ।