

Related Stories
May 6, 2025
ବ୍ରହ୍ମପୁର: ଗ୍ରାମାଞ୍ଚଳକୁ ଯାତାୟତ କରୁଥିବା ଅଧିବାସୀଙ୍କ ପାଇଁ ରାଜ୍ୟ ସରକାର ରାସ୍ତା ଓ କୋଠା ନିର୍ମାଣ ବିଭାଗ(ପିଡ୍ଳ୍ୟୁଡ଼ି) ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରୁଛନ୍ତି । ହେଲେ ବିଭାଗର ତଳତଳିଆ ଯନ୍ତ୍ରୀମାନଙ୍କୁ ହାତଗୁଞ୍ଜା ଦେଇ କାମ ନେଇଥିବା ଠିକାସଂସ୍ଥା ନିମ୍ନମାନର କାର୍ଯ୍ୟ କରି କୋଟି କୋଟି ଟଙ୍କା ଆତ୍ମସାତ କରୁଥିବା ଗଞ୍ଜାମ ଜିଲ୍ଲାରେ ଏହା ନୀତିଦିନିଆ ଘଟଣା ହେଲାଣି । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲାରେ କିଛି ଠିକାଦାରଙ୍କ ପାଇଁ ଏବେ ଗଞ୍ଜାମ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଲୋକହଂସା ହେବାକୁ ପଡ଼ିଛି । ବିଶେଷକରି ଜଣେ ଠିକାଦାର ଦୀର୍ଘଦିନଧରି ପୂର୍ତ୍ତ ବିଭାଗ ଓ ରାଜ୍ୟ ସରକାରଙ୍କ ଅଧିନରେ ଥିବା ଓଡ଼ିଶା ବ୍ରିଜ୍ ଏଣ୍ଡ କନ୍ଷ୍ଟ୍ରକ୍ସନ କର୍ପୋରେସନ(ଓବିସିସି) ଅଧିନରେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଗ୍ରାମାଞ୍ଚଳକୁ ସଡ଼କ ଓ ବ୍ରିଜ୍ ନିର୍ମାଣ କରୁଛିି । ଏହିସବୁ କାର୍ଯ୍ୟରେ ଅନିୟମିତତା ଓ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । କିନ୍ତୁ ଠିକା ସଂସ୍ଥା ନାମରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଡେପୁଟି ଏଜକ୍ୟୁଟିଭ ଇଞ୍ଜିନିୟର ବିଲ୍ଡିଂ(ଆର୍ଏଣ୍ଡ୍ବି ବ୍ରହ୍ମପୁର) ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ୯୮୫ ତା.୧୪.୭.୨୦ରେ ମାନ ନିୟନ୍ତ୍ରକ ବିଭାଜନ(କ୍ୱାଲିଟି କଣ୍ଟ୍ରୋଲ) ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଗୋଳନ୍ଥରା ସୋରଳ ଭାୟା ଭୈରବୀ ରୋଡ୍ ପ୍ରାୟ ୧୦କି.ମି ରାସ୍ତାର ଉନ୍ନତିକରଣ ପାଇଁ ପ୍ରାୟ ୨୦କୋଟି ଟଙ୍କା ବିନିମୟରେ ପିଚୁରାସ୍ତା ନିର୍ମାଣ ପୂର୍ତ୍ତ ବିଭାଗ ଅଧିନରେ ହୋଇଛି । ଏହି ରାସ୍ତା ନିର୍ମାଣରେ ଅନିୟମିତତା ଓ ନିମ୍ନମାନର ହେଉଥିବା ଅଭିଯୋଗ ପାଇ ରାସ୍ତାର ୭୫ ଏମ୍ଏମ୍ ପିଚୁ ଥିକନେସ୍ ଓ କ୍ୱାଲିଟିରେ ରାସ୍ତା ହୋଇଛି ନା ନାହିଁ ତାହାର ମାନ ଯାଞ୍ଚକରି ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ କ୍ୱାଲଟି କଣ୍ଟ୍ରୋଲ ବିଭାଗ ଅଧିକାରୀମାନେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିନଥିବା ଜଣାପଡିଛି । କେହି ପରିସ୍ଥିତିରେ ବିଭାଗ ଏହି ଯାଞ୍ଚ ପ୍ରକ୍ରିୟାରେ ବିଳମ୍ବ କରୁଛି ତାହା ଜଣାପଡିନାହିଁ । ସୂଚନାଥାଉକି, ପୂର୍ବରୁ ଉପରୋକ୍ତ ରାସ୍ତା ନେଇଥିବା ଠିକା ସଂସ୍ଥା ଏମ୍ଏସ୍ ଯୁଧିଷ୍ଠିର ସାମନ୍ତରାୟ ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ଲାଇସେନ୍ସରେ ବାଲିପଡ଼ା/ଖଲିଙ୍ଗି ରାସ୍ତାର ନିର୍ମାଣ ପାଇଁ ପ୍ରାୟ ୧୩ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଠିକା ନେଇଥିବା ସଂସ୍ଥା ଠିକାଦାର କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଥିଲା । ଏହା ମଧ୍ୟ ସେତେବେଳେ ସାମାନ୍ୟ ତଦନ୍ତକରି ବିଭାଗୀୟ ଅଧିକାରୀମାନେ ଠିକାଦାରଙ୍କ ସହ ମଧୁଚନ୍ଦ୍ରିକା ରକ୍ଷାକରି ଫାଇଲ୍ ହଜାଇ ଦେଇଥିଲେ । ଏହାସହ ଗଞ୍ଜାମ ଆର୍ଏଣ୍ଡ୍ବି ବିଭାଗ-୨ ଅଧିନରେ ଆସୁଥିବା ହୁମ୍ମା ଠାରୁ ବୈରାଣୀ ରାସ୍ତାରେ ମଧ୍ୟ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଥିଲେ ମଧ୍ୟ ତାହାର ଯାଞ୍ଚ ପ୍ରକ୍ରିୟା କ୍ୱାଲିଟି କଣ୍ଟ୍ରୋଲ ବିଭାଗ କ’ଣ କରିଛି ତାହା ମଧ୍ୟ ଜଣାପଡୁନାହିଁ । ତେଣୁ ଉପରୋକ୍ତ ଠିକା ସଂସ୍ଥା ଉପରେ ବିଭାଗୀୟ ଅଧିକାରୀମାନଙ୍କ ଅହେତୁକ ଅନୁକମ୍ପା ଏବେ ପଦାରେ ପଡି ହାଟରେ ଗଡୁଛି । ତେଣୁ ଏଥିପ୍ରତି ତୁରନ୍ତ ଉଚ୍ଚ ପଦସ୍ତ ଅଧିକାରୀମାନେ ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।