
ମାଲକାନଗିରି– ମାଓବାଦୀ ସଂଗଠନ ଗତ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପ୍ରତିବର୍ଷ ପାଳନ କରୁଛନ୍ତି । ଏହି ଅବସରରେ ମାଓଗଡ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକ୍ ସ୍ୱାଭିମାନ ଅଞ୍ଚଳରେ ବିରାଟ ପ୍ରଜାମେଳି କରି ମାଓ ସମର୍ଥକମାନେ ମୃତ ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବା ଶୁଣାଯାଉଛି । ଏହି ଅବସରରେ ମାଓବାଦୀମାନେ ମାଓ ଆଦର୍ଶ ଓ ଆଭିମୁଖ୍ୟ ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଅନ୍ୟପଟେ ସ୍ୱାଭିମାନ ଅଞ୍ଚଳରେ କିଛିଦିନ ଧରି ମାଓବାଦୀ ଓ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ବିପକ୍ଷବାଦୀମାନେ ମାଓବାଦୀଙ୍କୁ ବିରୋଧ କରିଛନ୍ତି। ବିରୋଧୀ ଗୋଷ୍ଠୀ ଏକ ପୋଷ୍ଟର ଲଗାଇ ‘ଏହା ସହିଦ ସପ୍ତାହ ନୁହେଁ ବରଂ ନିନ୍ଦା ସପ୍ତାହ’ ବୋଲି ଉଲ୍ଲେଖ କରିଛନ୍ତି। ବିରୋଧୀ ଗୋଷ୍ଠୀ ଜୁଲାଇ ୩୦ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ନିନ୍ଦା ସପ୍ତାହ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି। ସହିଦ ସପ୍ତାହକୁ ପ୍ରତ୍ୟାଖ୍ୟାନ କରିବା ସହ ମୃତ ମାଓବାଦୀମାନେ ସହିଦ ନୁହନ୍ତି ବୋଲି ବିରୋଧୀ ଗୋଷ୍ଠୀ ଅଞ୍ଚଳବାସୀଙ୍କୁ ବୁଝାଇଛନ୍ତି। କାରଣ ସୂଚନାଦାତା ସନ୍ଦେହରେ ନିର୍ମମ ଭାବେ ସେମାନେ ଆଦିବାସୀଙ୍କୁ ହତ୍ୟା କରିଛନ୍ତି। ଏଥିସହିତ ସେମାନେ ଅଞ୍ଚଳର ବିଦ୍ୟାଳୟ, କଲେଜ, ରାସ୍ତାଘାଟ, ଚିକିତ୍ସାଳୟ, ପଞ୍ଚାୟତ ଗୃହଗୁଡ଼ିକ ଧ୍ୱଂସ କରିଛନ୍ତି। କରୋନା ମହାମାରୀ ସମୟରେ ନିଜର ସ୍ୱାର୍ଥ ପାଇଁ ସମଦୂରତା ନରଖି ଏଭଳି ମେଳି କରିବା ଘଟଣା ନିନ୍ଦନୀୟ। ତେଣୁ ଏହାକୁ ବିରୋଧ କରିବା ସହ ମାଓ ସଂଗଠନକୁ ସହଯୋଗ ନକରିବାକୁ କୋରାପୁଟ ଜିଲ୍ଲା ଆଇଏନସିପିଏଫ୍ ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ଏସବୁ ମଧ୍ୟରେ କୌଣସି ପ୍ରକାର ହିଂସାକାଣ୍ଡକୁ ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଜିଲ୍ଲାର ସୀମାକୁ ସିଲ୍ କରାଯାଇଛି । ମାଓବାଦୀମାନେ ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ମାଲକାନଗିରି ଏସପି ରିଷିକେଶ ଡି ଖିଲାରୀ ଆହ୍ୱାନ ଦେଇଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO