ନୂଆଦିଲ୍ଲୀ – ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନ ପୁଣି ଥରେ ବିମାନ ଚଳାଇଛନ୍ତି । ସୋମବାର ଦିନ ଭାରତୀୟ ବାୟୁସେନା ମୁଖ୍ୟ ମାର୍ସାଲ୍ ବିଏସ୍ ଧାନ୍ୱଙ୍କ ସହ ସ୍ୱଳ୍ପ ସମୟ ପାଇଁ ମିଗ୍-୨୧ ଫାଇଟର୍ ବିମାନ ଚଳାଇଥିଲେ।
ପଞ୍ଜାବର ପଠାନକୋଟ୍ ଠାରେ ପ୍ରାୟ ଅଧଘଂଟାଏ ପାଇଁ ସେ ମିଗ୍-୨୧ ବିମାନଟିକୁ ଚଳାଇଥିଲେ । ଏଥର ଅଭିନନ୍ଦନଙ୍କ ମୁହଁରେ ପୂର୍ବ ଡିଜାଇନର ନିଶ ଓ ଦାଢି ନଥିଲା । ସମ୍ପୂର୍ଣ୍ଣ ନୂଆ ଲୁକ୍ ରେ ଦେଖାଯାଇଥିଲେ ଅଭିନନ୍ଦନ ।
ସୂଚନାଯୋଗ୍ୟ ଯେ ଗତ ଫେବୃଆରି ୨୭ ତାରିଖ ଦିନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଚଳାଉଥିବା ଲଢୁଆ ବିମାନ ମିଗ୍-୨୧ ବାଇସନ୍ କୁ ପାକିସ୍ତାନୀ ସେନା ଗୁଳି କରି ଖସାଇ ଦେବା ପରେ ବନ୍ଦୀକରି ନେଇଥିଲା । ଏହାର ଦୁଇ ଦିନ ପରେ ପାକିସ୍ତାନକୁ ଅଭିନନ୍ଦନଙ୍କୁ ହସ୍ତାନ୍ତର କରିବାକୁ ପଡିଥିଲା । ୭୩ତମ ସ୍ୱାଧୀନତା ଦିବସ ଅବସରରେ ତାଙ୍କୁ ବୀରଚକ୍ର ସମ୍ମାନ ଅର୍ପଣ କରାଯାଇଥିଲା ।