ଜୟପୁର – ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ । ରାଜ୍ୟର ଏକ ମାତ୍ର ଶିକ୍ଷକ ଭାବେ ଆସନ୍ତା ଗୁରୁ ଦିବସରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ ହେବେ ସମ୍ମାନିତ । ଏହି ଶିକ୍ଷକ ଜଣକ ହେଉଛନ୍ତି କୋରାପୁଟ ଜିଲା ଖଟଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାଶ । ଏହି ସମ୍ମାନ ପାଇଁ ସାରା ଦେଶରୁ 45 ଜଣ ମନୋନୀତ ହୋଇଥିବା ବେଳେ ଏଥିରେ ଓଡ଼ିଶାରୁ ଏକମାତ୍ର ଶିକ୍ଷକ ଭାବେ ସେ ସ୍ଥାନ ପାଇଥିବାରୁ ଏବେ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସକଙ୍କ ଶୁଭେଚ୍ଛା । ଆଉ ଏହାକୁ ନେଇ ପୁରା ସ୍କୁଲରେ ଏବେ ଖୁସିର ମାହୋଲ୍।
କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଖଟଲୁଗୁଡା ପ୍ରକଳ୍ପ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାଶ। ଆସନ୍ତା ଗୁରୁ ଦିବସ ଦିନ ଆଦର୍ଶ ଶିକ୍ଷକ ଭାବେ ଜାତୀୟ ସ୍ତରରେ ହେବେ ସମ୍ମାନୀତ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତରଫରୁ 45 ଜଣ ଶିକ୍ଷକଙ୍କୁ ଏଥିପାଇଁ ମନୋନୀତ କରାଯାଇଥିବା ବେଳେ ଆମ ରାଜ୍ୟରୁ କେବଳ ଜଣେ ମାତ୍ର ଶିକ୍ଷକ ଭାବେ ସେ ସ୍ଥାନ ପାଇଛନ୍ତି। ପୂର୍ବରୁ ସେ ବହୁବାର ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ପ୍ରଥମ ଥର ପାଇଁ ସେ ଏହି ଜାତୀୟ ସ୍ତରୀୟ ସମ୍ମାନ ପାଇବେ। ବୋରିଗୁମ୍ମାର ଜନ୍ମିତ ପବିତ୍ର ମୋହନ ଜୟପୁର ବିକ୍ରମ ଦେବ କଲେଜରେ ପାଠପଢା ସରିବା ପରେ 2001 ମସିହାରୁ ଶିକ୍ଷକତା ଆରମ୍ଭ କରିଥିଲେ। ତେବେ 2014 ମସିହାରୁ ପବିତ୍ର ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେ ବିଜ୍ଞାନ, ଗଣିତ ସହ ଇଂରାଜୀ ପଢାଇବାରେ କୃତିତ୍ୱ ହାସଲ କରିଛନ୍ତି। ପିଲାମାନେ ଯେପରି ସରଳ ଭାଷାରେ ବୁଝିପାରିବେ ସେଥିପାଇଁ ସେ ଅନେକ ପୁସ୍ତକ ରଚନା କରିଛନ୍ତି।
ସେହିପରି ସେ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ଯୋଗ ଶିକ୍ଷା ବି ଦିଅନ୍ତି । ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନିୟ ଅବଦାନ ପାଇଁ ସେ 2016 ରେ ରାଜ୍ୟ ସ୍ତରରେ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ସହ 2014 ରେ ପ୍ରକୃତି ବନ୍ଧୁ ଓ 2016 ରେ ପ୍ରକୁତି ମିତ୍ର ସମ୍ମାନରେ ବି ସମ୍ମାନୀତ ହୋଇଛନ୍ତି। ଏହି ଜାତୀୟ ସମ୍ମାନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆହୁରି ଅଧିକ ଗବେଷଣା କରିବାକୁ ତାଙ୍କର ଆଗ୍ରହ ବଢ଼େଇବ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ ପବିତ୍ର ମୋହନ।ଏହି ସମ୍ମାନ ପାଇଁ ଶିକ୍ଷକ ପବିତ୍ର ମୋହନ ମନୋନୀତ ହେବା ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମନ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି। ଶିକ୍ଷକ ଅତି ସରଳ ପଦ୍ଧତିରେ କଠିନ ଗଣିତ ଓ ବିଜ୍ଞାନ ବିଷୟ ବୁଝେଇ ଦେଉଥିବା କହିଛନ୍ତି ଛାତ୍ର ଛାତ୍ରୀ। ତାଙ୍କ ପାଠ ପଢାକୁ ଧ୍ୟାନର ସହ ଶୁଣୁଥିବା ବେଳେ ଏହା ତାଙ୍କ ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା କହିଛନ୍ତି ଛାତ୍ରଛାତ୍ରୀ।
ସେପଟେ ଦିନକୁ ଦିନ ସରକାରୀ ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ପବିତ୍ର ମୋହନଙ୍କ ଜାତୀୟ ସ୍ତରରେ ଏହି ମୋନାନୟନ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ଆକୃଷ୍ଟ କରିବ ବୋଲି କହିଛନ୍ତି ବିଦ୍ୟାଳୟର କାର୍ଯ୍ୟରତ ଅନ୍ୟ ଶିକ୍ଷକ ,ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ।ପ୍ରକାଶ ଥାଉ କି, ଗତ ବର୍ଷ ରାଜ୍ୟର ଏକମାତ୍ର ଶିକ୍ଷକ ଭାବେ ଜୟପୁର ସରକାରୀ ହାଇସ୍କୁଲର ଶିକ୍ଷକ ଓମ ପ୍ରକାଶ ମିଶ୍ର ଏହି ସମ୍ମାନ ପାଇଥିଲେ । ଆଉ ଶିକ୍ଷକ ପବିତ୍ର ମୋହନ ଏହି ବର୍ଷ ଏହି ସମ୍ମାନ ପାଇଁ ମନୋନିତ ହେବା କେବଳ କୋରାପୁଟ ନୁହେଁ ସମଗ୍ର ରାଜ୍ୟ ପାଇଁ ଗୌରବର ବିଷୟ ।
Related Stories
June 10, 2023
June 10, 2023
June 10, 2023