ନୂଆପଡ଼ା – ପହରିଆ ବା କମାର୍ ଏକ ଜନଜାତି । ଛତିଶଗଡ଼ ତଥା ମଧ୍ୟ ପ୍ରଦେଶରେ କମାର ମାନଙ୍କୁ ଆଦିମ ଜନଜାତି ମର୍ଯ୍ୟାଦା ମିଳିଥିବା ସ୍ଥଳେ, ଓଡ଼ିଶାରେ ସେମାନଙ୍କୁ ଆଦିବାସୀ ମାନ୍ୟତା ମିଳି ପାରି ନାହିଁ । ଏଥିଲାଗି ଓଡ଼ିଶାର କମାର ମାନେ ଗତ ୨ ଦଶନ୍ଧି ଧରି ସଂଗ୍ରାମ ଜାରି ରଖିଛନ୍ତି । କେତେ ବେଳେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି ତ ଆଉ କେତେ ବେଳେ ରାଜ୍ୟ ସରକାର ସହ କେନ୍ଦ୍ରକୁ ବିଭିନ୍ନ ସମୟରେ ପତ୍ର ଲେଖି ଦାବୀ କରିଛନ୍ତି, ହେଲେ ଆଦିବାସୀ ମାନ୍ୟତା ମିଳିବା ସେମାନଙ୍କ ପାଇଁ ସତେ ଯେମିତି ସ୍ୱପ୍ନ ହୋଇଯାଇଛି । ପହରିଆ ଜନଜାତି ଆମ ରାଜ୍ୟର ନୂଆପଡ଼ା, ବଲାଙ୍ଗିର, ବରଗଡ, କଳାହାଣ୍ଡି ଓ ନବରଙ୍ଗପୁର ପ୍ରଭୃତି ଜିଲ୍ଲାରେ ବସବାସ କରୁଥିବା ବେଳେ ଏମାନଙ୍କ ଜନସଂଖ୍ୟା ୭ ହଜାର ଭିତରେ ରହିଛି । ଏମାନଙ୍କ ସର୍ବାଧିକ ୬୦ ପ୍ରତିଶତ ନୂଆପଡ଼ା ଜିଲ୍ଲାରେ ବାସ କରନ୍ତି । ନୂଆପଡ଼ା ଜିଲ୍ଲାର ଛତିଶଗଡ଼ ସୀମାକୁ ଲାଗି ରହିଥିବା ସିନାପାଲି ଓ କୋମନା ବ୍ଲକ୍ର ପାର୍ବତ୍ୟ ମାଳଭୁମି ଅଂଚଳରେ ଅଧିକାଂଶ କମାର ଜନଜାତିଙ୍କ ବସତି ଦେଖିବାକୁ ମିଳେ । ଏମାନଙ୍କ ଚଳଣୀ ଓ ଘରକରଣା ବାଉଁଶକୁ ନେଇ କେନ୍ଦ୍ରିତ । ବାଉଁଶରେ ଘରକରଣା ଏବଂ କୃଷି ଉପଯୋଗୀ ଯାବତୀୟ ସାମଗ୍ରୀ ପ୍ରସ୍ତୁତି କାର୍ଯ୍ୟକୁ କୌଳିକ ତଥା ମୁଖ୍ୟ ଜିବୀକା ଭାବେ ଆଦରି ଥିବା ଅଧିକାଂଶ ପହରିଆ-କମାର ଦାରୀଦ୍ର୍ୟର ସୀମାରେଖା ତଳେ ବାସବାସ କରୁଛନ୍ତି । ବାଉଁଶ କାମରୁ ସପ୍ତାହକୁ ମିଳୁଥିବା କେବଳ ୨୦୦/୩୦୦ ଟଙ୍କା ହିଁ ଅଧିକାଂଶ ପହରିଆ ପରିବାରଙ୍କର ସର୍ବସ୍ୱ ଆୟ । ଏପରିସ୍ଥଳେ, ଆଦୀବାସୀ ମାନ୍ୟତାରୁ ବଂଚିତ ହେବା, ସରକାରଙ୍କର ବିଭିନ୍ନ ସୁବିଧା ସୁଯୋଗ ନ ପାଇବା ଦ୍ୱାରା ଏମାନଙ୍କ ଆର୍ଥିକ ଏବଂ ସାମାଜିକ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ଖରାପ ହେବାରେ ଲାଗିଛି । ଇଂରେଜ ଶାସନ କାଳର ପ୍ରଶାସନିକ ବିବରଣୀରୁ କମାର ମାନଙ୍କ ବିଷୟରେ ଜାଣିବାକୁ ମିଳେ । ସେତେବେଳର ବ୍ରିଟିଶ ପ୍ରଶାସକ ତାଙ୍କର ବିବରଣୀରେ କମାର ସଂପ୍ରଦାୟର ଲୋକେ ଏକାନ୍ତରେ ରହିବା, ଜଙ୍ଗଳରେ ବସବାସ କରିବା ସହ ଜଙ୍ଗଳ ଜାତ ସାମଗ୍ରୀ ସଂଗ୍ରହ କରି ଜିବିକା ନିର୍ବାହ କରୁଥିବା ନେଇ ଉଲ୍ଲେଖ କରିଛନ୍ତି । ୧୯୦୧, ୧୯୧୧ ଓ ୧୯୧୬ ଜନଗଣନାରେ ପହରିଆ ମାନଙ୍କୁ ଆଦିବାସୀ ରୂପେ ଗଣନା କରାଯାଇଛି । ଫଳରେ ବ୍ରିଟିସ୍ ଶାସନ କାଳରେ ଏମାନଙ୍କୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିଲା । ଏହି ବ୍ୟବସ୍ଥା ମାଧ୍ୟମରେ ପହରିଆ ଗଉଁନ୍ତିଆ ମାନଙ୍କୁ ସୁରକ୍ଷା ବ୍ୟବସ୍ଥା ମିଳିଥିବା ବିଭିନ୍ନ ନଥିପତ୍ରରୁ ଜଣାଯାଏ । ଖଡ଼ିଆଳ ବ୍ଲକ୍ର କେନ୍ଦୁପାଟି ଗ୍ରାମ, ବୋଡ଼େନ ବ୍ଲକ୍ର କାଠ୍ଫାର ଏବଂ କୋମନା ବ୍ଲକ୍ର ଅଡ଼ାର ଗ୍ରାମର ଗଉଁନ୍ତିଆମାନଙ୍କୁ ସୁରକ୍ଷା ବ୍ୟବସ୍ଥା ମିଳିଥିଲା । ଫଳରେ ବିଭିନ୍ନ ଗ୍ରାମରେ ପହଁରିଆ ମାନେ ଗଉଁନ୍ତିଆ ଥିବା ପ୍ରମାଣ ମିଳେ । ତେବେ, ୧୯୩୬ ମସିହାରେ ଖଡ଼ିଆଳ ଜମିଦାରୀ ଓଡ଼ିଶାରେ ମିଶ୍ରଣ ହେଲା ଏବଂ ଏହି ଅଂଚଳରେ ବାସ କରୁଥିବା ପହରିଆ-କମାର ମାନେ ଓଡ଼ିଶାର ଅଧିବାସୀ ହୋଇ ନିଜର ଆଦିବାସୀ/ଜନଜାତି ମାନ୍ୟତା ହରାଇଥିଲେ । ଏହା ସହ ପହରିଆ ଗଉଁନ୍ତିଆ ମାନେ ବ୍ରିଟିସଙ୍କ ଠାରୁ ମିଳିଥିବା ତାଙ୍କର ପଦବୀ ସୁରକ୍ଷା ବ୍ୟବସ୍ଥା ହରାଇଥିଲେ ଏବଂ ଧିରେ ଧିରେ ତାଙ୍କର ଜମି ଅଣ ଆଦିବାସୀ ମାନଙ୍କୁ ହସ୍ତାନ୍ତର ହୋଇଯାଇଥିଲା । ବର୍ତମାନ ଓଡ଼ିଶାର ପହରିଆ ମାନଙ୍କ ମଧ୍ୟରେ ୯୦ ରୁ ଉଦ୍ଧ୍ୱର୍ ଭାଗ ପରିବାର ଜମିହୀନ ଅଟନ୍ତି । ଓଡ଼ିଶାର ପହରିଆ ମାନଙ୍କୁ ସ୍ୱାଧିନ ଭାରତର ସମ୍ବିଧାନରେ ଜନଜାତି ତାଲିକାରେ ସ୍ଥାନ ଦିଆନଯିବା ପଛରେ କୌଣସି ଅଭିଶନ୍ଧି ଥାଇପାରେ । ତେବେ, ସେତେବେଳେ ଜନଗଣନା ଦାୟିତ୍ୱରେ ଥିବା କର୍ମଚାରୀ ମାନେ କମାର ବା ପହରିଆ ମାନଙ୍କ ବିଷୟରେ ଜାଣି ନଥିବାରୁ, କମାର ମାନଙ୍କୁ ଲୁହା କାମ କରୁଥିବା ଜାତି ଭାବେ ଅଭିହିତ କରି ଜନଜାତି ତାଲିକାରୁ ବାଦ୍ ଦେଇଥିବା ଅନୁମାନ କରାଯାଏ । ୧୯୮୩ ମସିହାରେ ଅଧ୍ୟାପକ ଡ.ଫଣିନ୍ଦମ ଦେଓ ତାଙ୍କର ଗବେଷଣା ମାଧ୍ୟମରେ ପହରିଆଙ୍କୁ ଆଦିବାସି ମାନ୍ୟତା ନେଇ କଥା ଉଠାଇଥିଲେ । ଅଶି ଦଶକରେ ବିଧାନସଭାରେ ମଧ୍ୟ ପହରିଆଙ୍କ ସମସ୍ୟାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ସମସ୍ୟାର ସମାଧାନ ଲାଗି କୌଣସି ପଦକ୍ଷେପ ନିଆଯାଇନଥିଲା । ଗତ ୨୦୦୦ ମସିହା ବେଳକୁ ଘନଶ୍ୟାମ ପହରିଆ, ଲଛମନ ପହରିଆ, ଇନ୍ଦ୍ର ପହରିଆ ଏବଂ ସୁକଲ ସାଏ ପହରିଆ ପ୍ରମୁଖଙ୍କ ନେତୃତ୍ୱରେ ପହରିଆ-କମାର ବିକାଶ ମଂଚ ଗଠନ ହୋଇଥିଲା ଏବଂ ଆଦିବସୀ ମାନ୍ୟତା ଦାବି ଜୋର ଧରିଥିଲା । ଅର୍ନ୍ତଜାତୀୟ ସଂଗଠନ ୟୁ.ଏନ୍.ଡି.ପି. ତରଫରୁ ମଧ୍ୟ ଏହି ବିଷୟକୁ ନେଇ ଏକ ବିବରଣୀ ପ୍ରକାଶ ପାଇଥିଲା । ଡ.ଫଣିନ୍ଦମ ଦେଓ ୨୦୦୫ ମସିହାରେ ପହରିଆ ମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିକୁ ନେଇ ଏକ ସର୍ଭେ କରିଥିଲୋ । ଏହି ସବୁ ଗବେଷଣା, ସଂଦର୍ଭ ଓ ବିବରଣୀକୁ ନେଇ ପହରିଆ ମାନେ ଜନଜାତିର ମାନ୍ୟତା ଲାଗି ଓଡ଼ିଶା ତଥା ଭାରତ ସରକାରଙ୍କ ଦୃଷ୍ଟି ଅକର୍ଷଣ କରିଥିଲେ । ଓଡ଼ିଶା ସରକାରଙ୍କ ଅନୁସୂଚୀତ ଜାତି, ଜନକାତି ଗବେଷଣା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ପହରିଆଙ୍କ ଜାତିଗତ ସ୍ଥିତି ସମନ୍ଧରେ ଅନୁଧ୍ୟାନ କରାଯିବା ପରେ ଗତ ୨୦୦୫ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଟି.ଏ.ସି. ବୈଠକରେ ପହରିଆ ମାନଙ୍କୁ ସମ୍ବିଧାନରେ ଜନଜାତି ଭାବେ ସ୍ଥାନ ଦେବାଲାଗି କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା । ଏହାପରେ କ୍ରମାଗତ ଭାବେ ୨୦୦୬ ଏବଂ ୨୦୦୭ ମସିହାରେ ଟି.ଏ.ସି. ବୈଠକରେ ମଧ୍ୟ ଓଡ଼ିଶା ସରକାରଙ୍କ ତରଫରୁ କେନ୍ଦ୍ର ସରକାରଙ୍କୁ ଜନଜାତି ତାଲିକାରେ ସ୍ଥାନ ଦେବାଲାଗି ଅନୁରୋଧ କରାଯାଇଛି । ଇତିମଧ୍ୟରେ ନିଜର ଅଧିକାର ହାସଲ ଲାଗି ପହରିଆ ମାନେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି । ସୁକଲ ସାଏ ପହରିଆ ମାନବିକ ଅଧିକାର କମିଶନ ଏବଂ ଆଦିବାସୀ କମିଶନଙ୍କ ହସ୍ତକ୍ଷେପ ଲାଗି ଆବେଦନ କରିଛନ୍ତି । ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସହ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ସେତେବେଳର ସଚିବଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି । କିନ୍ତୁ ଏହି ଦାବୀ ପ୍ରତି ସରକାରୀ କଳର ଉଦାସୀନତା ନେଇ ପହରିଆଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଗପରି ବାଉଁଶ ମିଳୁନ ଥିବା ବେଲେ ଏମାନେ ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ୨ରୁ ୩ ଦିନ କଠିନ ପରିଶ୍ରମ କଲେ ଗୋଟିଏ କୁଲା ଓ ଟୋକେଇ ତିଆରୀ ହେଉଥିବାବେଳେ ତାକୁ ବିକିଲେ ହାରାହାରି ୩୦୦ ଟଙ୍କା ଆୟ ହୋଇଥାଏ । ଏହି ବ୍ୟବସାୟ ପାଇଁ ଆଉ ମନ ପାଉନଥିବାରୁ ଲୋକେ ବାଧ୍ୟ ହୋଇ ଦାଦନ ଖଟି ଯାଉଛନ୍ତି । ଅନେକ ପହରିଆ ଯୁବକ ଯୁବତି ଶ୍ରମିକ ଦଲାଲମାନଙ୍କ ଦ୍ୱାରା ପ୍ରଲୋଭିତ ହୋଇ କାମ ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଇ ଶୋଷଣର ଶିକାର ହେଉଛନ୍ତି । ସରକାର ତୁରନ୍ତ ଦୃଷ୍ଟି ଦେଇ ପହରିଆମାନଙ୍କୁ ଆଦିବାସୀମାନ୍ୟତା ଦେବା ପାଇଁ ଦାବୀ ହେଉଛି । ନଦେଲେ ଆଗାମୀ ଦିନରେ ପହରିଆମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।
Related Stories
October 25, 2024