ହରିଚନ୍ଦନପୁର – କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଓ ହରିଜନ ଶ୍ରେଣୀର ଲୋକମାନଙ୍କ ପାଇଁ ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ବରେ ଯୋଜନା ଉପରେ ଯୋଜନା ପ୍ରଣୟନ କରିଚାଲିଛନ୍ତି । ଉକ୍ତ ଯୋଜନା ଗୁଡ଼ିକ କେତେକ ଖାମଖିଆଲି ମନୋଭାବ ରଖୁଥିବା ସରକାରୀ ବାବୁଙ୍କ ପାଇଁ କେବଳ କାଗଜ କଲମ ମଧ୍ୟରେ ସୀମିତ ହୋଇ ରହିଯାଉଛି । ଯାହା ଫଳରେ ଆଦିବାସୀ ଶ୍ରେଣୀର ଲୋକମାନଙ୍କ ପାଇଁ ସବୁ ଯୋଜନା ଅପହଞ୍ଚ ବା ସାତସପନ ପାଲଟୁଛି । ଏପରି ଏକ ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକ ଭାଗାମୁଣ୍ଡା ପଞ୍ଚାୟତର ସୁଆଢଳା ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗ୍ରାମର ୭୫ବର୍ଷୀୟ ବୃଦ୍ଧା ରାଧିକା ମୁଣ୍ଡା ବର୍ଷ ବର୍ଷ ଧରି କୁଟା ଭାଡ଼ିତଳେ ଅତି କଷ୍ଟରେ ଜୀବନ ବିତାଉଥିବା ନଜିର ରହିଛି । ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନଥିବାରୁ ଅନ୍ୟ ଜଣଙ୍କ କୁଟା ଭାଡ଼ି ତଳେ କେତେ ଖଣ୍ଡ ପଲିଥିନରେ ଛପର କରି ସେଠାରେ ଜୀବନ ବିତାଉଛନ୍ତି । ଘର ଖଣ୍ଡେ ପାଇଁ ସରକାରଙ୍କ ଆବାସ ଯୋଜନାକୁ ଚାହିଁ ଚାହିଁ କେତେଥର ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓଙ୍କୁ ଗୁହାରି ଜଣାଇଥିଲେ । ଏଥିସହ ଏହି ସମ୍ପର୍କରେ ଗତ କିଛି ବର୍ଷ ପୂର୍ବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପରେ ବିଡ଼ିଓଙ୍କ ନିର୍ଦ୍ଦେଶ କ୍ରମେ ଭଗାମୁଣ୍ଡା ସରପଞ୍ଚ ତେଲେଙ୍ଗା ମାଝୀ ଘଟଣାସ୍ଥଳରେ ପହଞ୍ଚି ସତ୍ୟତା ଜାଣିବା ପରେ ବୃଦ୍ଧାଙ୍କୁ କିଛି ଚାଉଳ ପ୍ରଦାନ କରିଥିଲେ । ଏହାସହ ୩ଦିନ ମଧ୍ୟରେ ବାସଗୃହ ଓ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ବାବୁମାନଙ୍କ ପ୍ରତିଶ୍ରୁତି ପାଣିରେ ଗାର ପକାଇବା ଭଳି ଲାଗେ, କାରଣ ତିନିଦିନ ବଦଳରେ ୩ବର୍ଷ ବିତିଗଲାଣି କିନ୍ତୁ ରାଧିକା ମୁଣ୍ଡାଙ୍କୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ । ଯାହାକୁ ନେଇ ଜୀବନ ବଞ୍ଚାଇବା ପାଇଁ ଖରା ବର୍ଷା ଶୀତ ସହ ସଂର୍ଘଷ କରି ସେହି କୁଟାଭାଡି ତଳକୁ ଆଶ୍ରୟ ଭାବି ଜୀବନ ବିତାଉଛନ୍ତି । କରୋନା ମହାମାରୀର ଲକଡାଉନ୍ କରାଣରୁ ସମସ୍ତ କାମଧନ୍ଦା ବନ୍ଦ ଯୋଗୁଁ ପେଟ ପାଇଁ ମୁଠାଏ ଖାଦ୍ୟ ସଂଗ୍ରହ କରିବା ତାଙ୍କ ପାଇଁ ଅନେକ କଷ୍ଟକର ହୋଇପଡିଛି । ସେପଟେ ପ୍ରତ୍ୟେକ ଦିନ ମୁଠାଏ ଖାଇବାକୁ ଚିନ୍ତା ରହୁଥିବା ବେଳେ ଏପଟେ ବର୍ଷା ସହ ଶରିସୃପ ଓ ବନ୍ୟାଯନ୍ତୁଙ୍କ ଠାରୁ ରକ୍ଷା ପାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ରାଧିକା ମୁଣ୍ଡାଙ୍କୁ ସମସ୍ତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଇକୁ ଜନ ସାଧାରଣରେ ଦାବି ହୋଇଛି ।
Related Stories
November 22, 2024