ଭୁବନେଶ୍ୱର, ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ) ଚଳିତ ବର୍ଷ ପାଇଁ ସମ୍ମାନଜନକ ଗୋଲଡ ସ୍କଚ ଆୱାର୍ଡ ପାଇବାକୁ ମନୋନୀତ ହୋଇଛି । ଏହି ପୁରସ୍କାର ଦୁଇଟି କ୍ଷେତ୍ର ପାଇଁ ମିଳିଛି । ବିନା ଜମିରେ ଚାଷ କରୁଥିବା ନକଲି ଚାଷୀଙ୍କୁ ସାଟେଲାଇଟ ଜିଆଇଏସ ଜରିଆରେ ଧରିବା ଏବଂ ସଠିକ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଓରସାକ ବେଶ ସଫଳ ହୋଇଛି । ଏଥିପାଇଁ ଏହି ସଂସ୍ଥା ଦେଶରେ ଖୁବ ସୁନାମ ଅର୍ଜନ କରିଛି ।
ରାଜ୍ୟରେ ପ୍ରତି ଗ୍ରାମରେ ଧାନ ଫସଲ ଥିବା ପ୍ଲଟ ଭିତିକ କ୍ଷେତ୍ରଗୁଡ଼ିକର ବିଶ୍ଳେଷଣ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଏହି ଗୋଲଡ ଇ-ପ୍ରଶାସନ ସ୍କଚ୍ ପୁରସ୍କାର ମିଳିଛି । ଏହି ଅଭିନବ ପ୍ରକଳ୍ପ ଦେଶରେ ପ୍ରଥମ ଥର ପାଇଁ ଓଡିଶା ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ଓଡିଶାର ପ୍ରକୃତ କୃଷକମାନଙ୍କ ଠାରୁ ଧାନ କ୍ରୟ, ଯେଉଁମାନେ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ପ୍ରଣାଳୀର ପି-ପାସ (ପ୍ୟାଡି ପ୍ରୋକ୍ୟୂମେଂଟ ଅଟୋମେସନ୍ ସିଷ୍ଟମ୍) ମାଧ୍ୟମରେ ପଞ୍ଜୀକୃତ ହୋଇଛନ୍ତି । ଏଥିଯୋଗୁଁ ଓଡ଼ିଶା ସରକାର ୧୫୦୦ କୋଟିରୁ ଅଧିକ ଟଙ୍କା ସଂଚୟ କରିଛନ୍ତି । ଏହି ସଫଳତା ପାଇଁ ସମସ୍ତ ହିତାଧିକାରୀଙ୍କୁ ଓରସାକ୍ ସିଇଓ ପ୍ରଫୁଲ୍ଲ କୁମାର ମଲ୍ଲିକ ଧନ୍ୟବାଦ ଦେଇଛନ୍ତି ।