ଭୁବନେଶ୍ୱର– ପ୍ରଥମ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା ସମୟ ସୀମାକୁ ଆଉ ୪ ଦିନ ବୃଦ୍ଧି କରାଯାଇଛି । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏକାଦଶ ଶ୍ରେଣୀରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ୨୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । ତେବେ ଏହି ନାମଲେଖା ପ୍ରକ୍ରିୟାକୁ ଚଳିତ ମାସ ୩୦ ତାରିଖ ଯାଏଁ ବଢାଇ ଦିଆଯାଇଛି ।
ଏହା ବ୍ୟତୀତ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଆଡମିଶନ-ଇନ୍-ଚାର୍ଜମାନଙ୍କୁ ସିବିଏସଇ ଓ ଆଇସିଏସ୍ଇ ଛାତ୍ରମାନଙ୍କର ଡିଜିଲକର୍ ସାର୍ଟିଫିକେଟ୍ ଜରିଆରେ ନାମଲେଖା କରିବାକୁ ଅନୁରୋଧ କରାଯାଇଛି । ନାମଲେଖା ତାରିଖଠାରୁ ଏକ ମାସ ମଧ୍ୟରେ ଯାଂଚ ପାଇଁ ମୂଳ ପ୍ରମାଣପତ୍ର ଦେବାକୁ ଛାତ୍ରଛାତ୍ରୀମାନଙ୍କୁ କୁହାଯିବାକୁ ନିର୍ଦେଶ ଦିଆଯାଇଛି ।
ନାମଲେଖା ପ୍ରକ୍ରିୟା ସମୟରେ କୋଭିଡ୍ ନିର୍ଦେଶାବଳୀ ଉପରେ କଡା ନଜର ରଖିବା ପାଇଁ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ସମସ୍ତ ଅଧ୍ୟକ୍ଷ ଏବଂ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଆଡମିଶନ-ଇନ୍-ଚାର୍ଜଙ୍କୁ ପୂର୍ବରୁ ନିର୍ଦେଶ ଦିଆଯାଇଛି । ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଧିକ ସଂଖ୍ୟକ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ପରିଦର୍ଶନ କରିବାକୁ ବି ନିର୍ଦେଶ ଦିଆଯାଇଛି ।