ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ନୂଆ ୨୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩୬୩ କୁ ବୃଦ୍ଧି ପାଇଛି । ୧୦୮୦ ନମୂନା ସଂଗ୍ରହ ପରେ ର୍ୟାପିଡ଼୍ ଆଂଟିଜେନ ଓ ଆରଟି-ପିସିଆର୍ ଟେଷ୍ଟ କରାଯାଇଥିଲା । ଏହି ପରୀକ୍ଷାରୁ ୨୫ଟି ରିପୋର୍ଟ ପଜିଟିଭ୍ ଆସିଥିଲା । ଅନ୍ୟ ଦୁଇ ଜଣ ଜିଲ୍ଲା ବାହାରେ ହସ୍ପିଟାଲରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ, କୋଭିଡ଼୍ କେୟାର ସେଂଟରରେ ଭର୍ତି କରାଯାଇଛି । ସାମାନ୍ୟ ଆକ୍ରାନ୍ତମାନଙ୍କୁ ହୋମ୍ ଆଇସୋଲେସନରେ ପଠାଇ ଦିଆଯାଇଥିବା ନେଇ ପ୍ରଶାସନ ସୂତ୍ରରୁ ପ୍ରକାଶ ।
ନୂଆ ଚିହ୍ନଟ ଏହି ୨୭ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ଜଣ ପୁରୁଷ ଓ ୯ ଜଣ ମହିଳା ରହିଛନ୍ତି । ତନ୍ମଧ୍ୟରେ ଜଣେ ନାବାଳକ ଓ ଅନ୍ୟ ଜଣେ ନାବାଳିକା ରହିଛନ୍ତି । ଆକ୍ରାନ୍ତ ମାନଙ୍କର ବୟସ ୧୦ ବର୍ଷରୁ ୭୦ ବର୍ଷ ମଧ୍ୟରେ ରହିଛି । ସେମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌରାଚଂଳରୁ ୧୦ ଜଣ, ଗୋଷାଣି ବ୍ଲକରୁ ୯ ଜଣ, କାଶୀନଗର ବ୍ଲକରୁ ୨ ଜଣ, ନୂଆଗଡ଼ ବ୍ଲକରୁ ଜଣେ, ଆର୍. ଉଦୟଗିରି ବ୍ଲକରୁ ୪ ଜଣ ଏବଂ ଜିଲ୍ଲା ବାହାରେ ହସ୍ପିଟାଲରେ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ଏହି ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭ ଜଣ ସଂକ୍ରମିତ ହୋଇଛନ୍ତି । ଦୁଇ ଜଣ ଜିଲ୍ଲା ବାହାରେ ହସ୍ପିଟାଲରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜାରୀ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରୁ ସୂଚନା ମିଳିଛି ।