ଭୁବନେଶ୍ୱର -ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ୟୁନିଟ୍ ୬ ସିଟି ଟ୍ରେନିଂ ସ୍କୁଲର ସହକାରୀ ଶିକ୍ଷୟତ୍ରୀ ତିଳୋତମା ମହାନ୍ତିଙ୍କ ଘର ଉପରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଗୁରୁବାର ସକାଳ ୪ଟାରୁ ଚଢାଉ ଆରମ୍ଭ କରାଯାଇଥିଲା । ତିଳୋତମାଙ୍କର ଗୋପବନ୍ଧୁ ଛକ ପାଖରେ ଥିବା ସରକାରୀ ବାସଭବନ ସମେତ ଅନ୍ୟ ୩ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଥିବା ଜଣାପଡ଼ିଛି ।
ପ୍ରାଥମିକ ତଥ୍ୟରୁ ଜଣାଯାଇଛି ଯେ ଶିକ୍ଷୟତ୍ରୀଙ୍କ ନାମରେ ଭୁବନେଶ୍ୱରରେ ୨ଟି ଘର ସମେତ ୯ଟି ଫ୍ଲାଟ୍ ରହିଛି । ଏହା ବ୍ୟତୀତ ୧୮ଟି ଏଲଆଇସି ବଣ୍ଡ ଏବଂ କିଛି ନଗଦ ଟଙ୍କା ମଧ୍ୟ ଜବତ ହୋଇଛି । ଉତରା ଠାରେ ଥିବା ଘରର ମୂଲ୍ୟ ୫୦ ଲକ୍ଷ ଟଙ୍କା ବୋଲି ଜଣାଯାଇଛି । ଶିକ୍ଷୟତ୍ରୀଙ୍କ ସ୍ୱାମୀ ଜଣେ ଏଲଆଇସି ଏଜେଂଟ ହୋଇଥିବା ବେଳେ ରଣପୁର ଠାରେ ମଧ୍ୟ ଏକ ପ୍ଲଟ୍ ରହିଛି । ଏହାସହ ଏକ ଦାମୀ କାର ଓ ବାଇକ୍ ମଧ୍ୟ ରହିଛି । ପ୍ରାଥମିକ ଆକଳନରୁ ତିଳୋତମାଙ୍କ ସମ୍ପତିର ମୂଲ୍ୟ ପ୍ରାୟ ଏକ କୋଟିରୁ ଉଦ୍ଧ୍ୱର୍ ହେବ ବୋଲି ଜଣାପଡିଛି ।
ଖବର ସଂଗ୍ରହ ବେଳକୁ ଚଢାଉ ଜାରୀ ରହିଥିଲା ।