ମାଲକାନଗିରି– ଜନନୀ ଯନ୍ତ୍ରଣା ପାଇଁ ସବୁ ବେଳେ ମାଲକାନଗିରି ଜିଲ୍ଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସବୁ ଘଟଣାରେ ଗୋଟିଏ ଉତର ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ ଫଳରେ କିଏ ଜଙ୍ଘଲ ରେ ପୁଣି କିଏ ରାସ୍ତା କଡ଼ରେ ପ୍ରସବ କରିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଇତି ମଧ୍ୟରେ କୋରାପୁଟ ଭଳି ପଛୁଆ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସୁଗମ କରିବା ପାଇଁ ରାଜ୍ୟ ସରକାର ରୋଗୀଙ୍କ ପାଇଁ ୮ ଟି ବାଇକ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି । ହେଲେ ଚର୍ଚ୍ଚାରେ ରହି ଆସୁଥିବା ମାଲକାନଗିରି ଜିଲ୍ଲା ପାଇଁ ସରକାରଙ୍କ ପକ୍ଷରୁ ଗୋଟିଏ ମଧ୍ୟ ବାଇକ ଆମ୍ବୁଲାନ୍ସ ଦିଆଯାଇ ନାହିଁ । ବିଗତ ଦିନରେ ଚିତ୍ରକୋଣ୍ଡା ବିଛିନ୍ନାଂଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀକୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ନିମନ୍ତେ ୨ ଟି ଆମ୍ବୁଲାନ୍ସ ଲଞ୍ଚ ଯୋଗାଇ ଦେଇଥିଲେ । ଜିଲ୍ଲାର ଖଇରପୁଟ, ଚିତ୍ରକୋଣ୍ଡା, କୋରୁକୋଣ୍ଡା, ମାଲକାନଗିରି, ମାଥିଲି, କାଲିମେଳା , ଓ ପଡିଆ ବ୍ଲକର ଅନେକ ଗାଁ ପାହାଡ ଉପରେ ରହିଥିବାରୁ ଜରୁରୀ କାଳିନ ପରିସ୍ଥିତିରେ ସମ୍ପୃକ୍ତ ଗ୍ରାମର ରୋଗୀମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ପାଇଁ ବିଭିନ୍ନ ସମସ୍ୟା ଦେଖାଦେଉଛି । ଜିଲ୍ଲାର ଏହି ସବୁ ଉପାନ୍ତ ଇଲାକାରେ ସ୍ୱାସ୍ଥ୍ୟସେବା ସୁବ୍ୟବସ୍ଥିତ କରିବା ସକାଶେ ବାଇକ ଆମ୍ବୁଲାନ୍ସର ଆବଶ୍ୟକତା ରହିଛି । ଜିଲ୍ଲାରେ ୬ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ୮ ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, 24ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୧ ୫ ୮ ଟି ସବ ସେଣ୍ଟର ଓ 4ଟି ଏରିଆ ହସ୍ପିଟାଲ ରହି ଥିବାବେଳେ ଏହିସବୁ ମେଡିକାଲକୁ ରୋଗୀଙ୍କୁ ନେବା ଆଣିବା ପାଇଁ ଜିଲ୍ଲାରେ ୧ ୫ ଟି ଆମ୍ବୁଲାନ୍ସ, ୫ ଟି ୧ 0୮ ଆମ୍ବୁଲାନ୍ସ ଓ ୫ ଟି ୧ 0୨ ଆମ୍ବୁଲାନ୍ସ ରହିଛି !ଏବେ ମଧ୍ୟ ଜିଲ୍ଲାର ୩ ୦୦ରୁ ଉର୍ଦ୍ଧ ଗାଁକୁ ସବୁଦିନିଆ ରାସ୍ତା ର ସୁବିଧା ନଥିବାରୁ ଦୁର୍ଗମ ଗାଁ’ ଗୁଡ଼ିକରେ ଚାରିଚକିଆ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନାହିଁ । ଫଳରେ ରୋଗୀ କିମ୍ବା ଆସନ୍ନ ପ୍ରସବା ଭାରରେ ବୁହା ହୋଇ ପ୍ରଥମେ ଆମ୍ବୁଲାନ୍ସ ଓ ପରବର୍ତ୍ତୀ ପର୍ଯ୍ୟାୟରେ ନିକଟବର୍ତ୍ତୀ ଚିକିତ୍ସାଳୟରେ ଭର୍ତ୍ତୀ ହେଉଛନ୍ତି । ବେଳେ ବେଳେ ଠିକ ସମୟରେ ଡାକ୍ତର ଖାନାରେ ନ ପହଞ୍ଚିପାରି ଗର୍ଭବତୀଙ୍କ ଠାରୁ ଆରମ୍ଭ କରି ରୋଗୀଙ୍କ ପର୍ଯ୍ୟନ୍ତ ଅନେକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଦେଖାଦେଉଛି । ତେବେ ଏଭଳିସ୍ଥିତିରେ ଦୁର୍ଗମ ଅଞ୍ଚଳ ପାଇଁ ବାଇକ ଆମ୍ବୁଲାନ୍ସ ମୁତୟନ ରହିଥିଲେ ଦୁର୍ଗମବାସୀଙ୍କ ନିକଟରେ ଶିଘ୍ର ସ୍ୱାସ୍ଥ୍ୟସେବା ପହଞ୍ଚି ପାରିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି ।